ଗନ୍‌ ପଏଣ୍ଟରେ ଏହି ୩ ଜଣ ଲୁଟିଥିଲେ ଭିଜିଲାନ୍ସ ମହିଳା ଡିଏସ୍‌ପିଙ୍କ ସୁନା ଚେନ୍‌ ଓ କାନଫୁଲ, ଆଜି ଖାରବେଳ ପୋଲିସ କଲା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌) : କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନୁହେଁ । ଦିନେ ନା ଦିନେ ଆଲୁଅ ଜଳିବ । ତାହା ହିଁ ହୋଇଛି । ଭୁବନେଶ୍ୱରରେ ଛିନ୍‌ତାଇ ଓ ଲୁଟ୍‌ରେ ଆତଙ୍କ ସୃଷ୍ଟି କରିଥିବା ଲୁଟେରାଙ୍କ ଖେଳ ଖତମ୍‌ ହୋଇଛି । ଆଜି କମିଶନରେଟ୍‌ ପୋଲିସ ହାତାରେ ଧରାପଡ଼ି ଗିରଫ ହୋଇଛନ୍ତି ଏହି ୩ ଜଣ ଲୁଟେରା । ଦୀର୍ଘ ଦିନ ଧରି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚଳାଇ ଆସିଥିଲେ ଛିନ୍‌ତାଇ । ପୋଲିସ ଆଖିରେ ମଧ୍ୟ ଧୂଳି ଦେଇ ଖସି ଯାଉଥିଲେ ।

ହେଲେ ଏଥର ହାତ ମାରିଥିଲେ ଜଣେ ପୋଲିସ ବେକରେ । ଖୋଦ ଭିଜିଲାନ୍ସ ମହିଳା ଡିଏସ୍‌ପିଙ୍କ ବେକରେ । ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ବଡ଼ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯଦି ଖୋଦ୍‌ ପୋଲିସ ଭୁବନେଶ୍ୱରରେ ସୁରକ୍ଷିତ ନୁହଁନ୍ତି ସାଧାରଣ ଲୋକଙ୍କ କଥା କ’ଣ ହୋଇପାରେ । ଏଭଳି ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ପୋଲିସକୁ । ଯାହାକି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ୧୫ ଦିନ ଭିତରେ ପୋଲିସ ଖୋଜି ବାହାର କରିଛି ଏହି ଲୁଟେରାଙ୍କୁ । ସେମାନଙ୍କ ଠାରୁ ସୁନା ଚେନ୍‌ ଜବତ କରିବା ସହ ଲୁଟ୍‌ ବେଳେ ବ୍ୟବହାର କରିଥିବା ବନ୍ଧୁକ ଓ ଭୁଜାଲି ଜବତ କରିଛି ଖାରବେଳ ଥାନା ପୋଲିସ ।

lutera

ସେଦିନ ଘଟଣା ଥିଲା ଏପରି । ୟୁନିଟ୍‌-୩ ଖାରବେଳ ଥାନା ଅଞ୍ଚଳରେ ସରକାରୀ କ୍ୱାଟରରେ ରୁହନ୍ତି ମହିଳା ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତି । ଘଟଣା ଦିନ ସକାଳ ସମୟରେ  ଉକ୍ତ ଲୁଟେରା ଡିଏସ୍‌ପିଙ୍କୁ ଏକ ଠିକଣା ଦେଖାଇ ଘର କେଉଁଠି ବୋଲି ପଚାରିଥିଲେ । ତେବେ ଡିଏସ୍‌ପି ସେମାନଙ୍କ ହାବଭାବ ଠଉରାଇ ଗେଟ୍‌ ଭିତରକୁ ଚାଲିଯିବାବେଳେ ଲୁଟେରାମାନେ ଜବରଦସ୍ତ ଗେଟ୍‌ ଭିତରକୁ ପଶି ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌ ଓ କାନଫୁଲ ଲୁଟି ନେଇ ଫେରାର୍‌ ହୋଇଯାଇଥିଲେ । ୧୫ ଦିନର ପରିଶ୍ରମ ପରେ ଆଜି ପୋଲିସ ଏହି ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ।  ସେମାନେ ଆଉ କେଉଁ ଅପରାଧରେ ଜଡିତ ଅଛନ୍ତି । ଆଉ କାହା ଠାରୁ ଛିନ୍‌ତାଇ କରିଛନ୍ତି ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରୁଛି ।

Leave A Reply

Your email address will not be published.