ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ କନ୍ଧମାଳର ୩ ବିଧାୟକ, ବିକାଶ ନେଇ ହେଲା ଆଲୋଚନା

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତ୍ତିଭୂମି ଓ ଡାକ୍ତର ଅଭାବ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ଏହା ବ୍ୟତୀତ କିମ୍‍ସ ଭୁବନେଶ୍ୱର ପକ୍ଷରୁ କନ୍ଧମାଳର ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ୱାସ୍ଥ୍ୟ ଶିବିର ପୁନଃ କାର୍ଯ୍ୟକାରୀ କରାଇବା ପାଇଁ ବିଧାୟକମାନେ ଅନୁରୋଧ କରିଥିଲେ ।

dr achyuta samanta

ସାଂସଦ ଏଥିରେ ସମ୍ମତି ଜଣାଇବା ସହ ଅଗଷ୍ଟ ୧୫ ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ବିକାଶ ଉପରେ ପ୍ରୟାସ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତରେ ଏହାକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ ନେଇ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ କିପରି ଆହୁରି ଆଗକୁ ନିଆଯାଇପାରିବ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ଅବସରରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ କିଟ୍‍ ଓ କିସରେ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବା ନେଇ ବିଧାୟକମାନଙ୍କୁ ଅବଗତ କରିବା ସହ ଜିଲ୍ଲାର ଯୁବକଯୁବତୀଙ୍କୁ କିଟ୍‍ ଓ କିସ୍‍କୁ ପଠାଇବା ପାଇଁ କହିଥିଲେ । ଏହା ବ୍ୟତୀତ ବିଧାୟକମାନେ କନ୍ଧମାଳ ଜିଲ୍ଲାର ଜନଜାତି ଛାତ୍ରୀମାନଙ୍କୁ ପଠାଇଲେ ସେମାନେ କିସରେ ବିନାଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.