ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣା : କାରଖାନା ଉପରେ ରୁଜୁ ହେଲା ତିନୋଟି ମାମଲା, ପ୍ଲାଣ୍ଟ ବାହାରେ ଉତ୍ତେଜନା

ରାଉରକେଲା : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାରେ ରାଜଗାଙ୍ଗପୁର ଥାନାରେ ତିନୋଟି ମାମଲା ରୁଜୁ ହୋଇଛି । ଦଫା ୨୮୯ ଓ ୧୦୬ ରେ ରୁଜୁ ହେଲା ମାମଲା । ଡାଲମିଆ ସିମେଣ୍ଟ କାରଖାନାର ଅକ୍ୟୁପାୟର ଓ କାରଖାନା ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ ହୋଇଛି । ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଵିଭାଗ ପକ୍ଷରୁ ଗୋଟିଏ ଏତଲା ହୋଇଥିବା ବେଳେ ତହସିଲଦାରଙ୍କ ପକ୍ଷରୁ ଗୋଟିଏ ଏତଲା ହୋଇଛି । ସେହିପରି ମୃତ ଶ୍ରମିକଙ୍କ ଭାଇ ତମ୍ଵେଶ୍ଵର ପାତ୍ରଙ୍କ ପକ୍ଷରୁ ଗୋଟିଏ ଏତଲା ହୋଇଥିବା ଜଣାଯାଇଛି ।

ସୂଚନାନୁଯାୟୀ, ରାଜଗାଙ୍ଗପୁର ଡ଼ାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ି ପଡ଼ିବା ଘଟଣାର ୩୬ ଘଣ୍ଟା ପରେ ଦୁଇଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଅନ୍ୟ ଜଣେ ଶ୍ରମିକଙ୍କ ପତ୍ତା ମିଳିନି । ୨/ ୩ ଘଣ୍ଟା ମଧ୍ୟରେ ଅନ୍ୟ ଜଣଙ୍କୁ ଉଦ୍ଧାର କରା ଯିବା ନେଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟ ପକ୍ଷରେ ପ୍ଲାଣ୍ଟର କୋଇଲା ଗଦା ଭିତରୁ ଦୁଇ ଜଣଙ୍କ ମୃତ ଦେହ ମିଳିବା ପରେ ପ୍ଲାଣ୍ଟ ବାହାରେ ଉତ୍ତେଜନା ଦେଖାଦେଇଛି ।

କାରଖାନା ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସକାଳୁ ସୁନ୍ଦରଗଡ଼ ଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଏହି ଘଟଣାରେ ମୃତକଙ୍କ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ଦାବିରେ କାରଖାନା ସମ୍ମୁଖ ଗେଟ୍ ରେ ମୃତକଙ୍କ ପରିବାରବର୍ଗଙ୍କ ଧାରଣା ଜାରି ରହିଛି ।

ପ୍ରକାଶଯୋଗ୍ୟ, ଗୁରୁବାର ସଂଧ୍ୟାରେ ରାଜଗାଙ୍ଗପୁର ଡ଼ାଲମିଆ ସିମେଣ୍ଟ ଲିମିଟେଡର କୋଇଲା ହପର୍ ଭୁଶୁଡ଼ି ୩ ଶ୍ରମିକ ଚାପି ହୋଇ ରହି ଯାଇଥିଲେ। ଏବେ କାରଖାନାର କେତେକ ୟୁନିଟ୍ କୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ସୁରକ୍ଷା ସମ୍ପର୍କୀତ ପଦକ୍ଷେପ ଠିକ ଭାବେ ନିଆଯାଉ ନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

You might also like