ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା, ୩ ପୋଲିସ ଅଧିକାରୀଙ୍କୁ ବଦଳି
ଚାନ୍ଦବାଲି: ଚାନ୍ଦବାଲି ଥାନା ପରିସରରେ ଦଳିତ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ୩ ପୋଲିସ ଅଧିକାରୀ । ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସପି । ଏହି ତିନି ଜଣଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି ବୋଲି ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କହିଛନ୍ତି । ମହିଳାଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଆମ୍ୱେଦକର ଦଳିତ ଓ ଅନଗ୍ରସର ବିଚାର ମଞ୍ଚ ।
ସୂଚନା ଅନୁସାରେ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଏନ୍ଏସିର ଶମ୍ଭୁରାମ ସେଠୀ ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଶମ୍ଭୁରାମଙ୍କୁ ଦେଖା କରିବା ପାଇଁ ସ୍ତ୍ରୀ ମିତା ସେଠୀ ତାଙ୍କ ୩ ବର୍ଷର ଝିଅକୁ ଧରି ଥାନାକୁ ଯାଇଥିଲେ। ଥାନା ସମ୍ମୁଖରେ ପଡ଼ିଥିବା ଏକ ଜୋତା ଖୋଳ ଧରି ଝିଅ ଖେଳୁଥିବା ଦେଖି ମିତା ତାହାକୁ ଛଡ଼ାଇ ଆଣି ବାହାରେ ପକାଇ ଦେଇଥିଲେ। ଜୋତା ଖୋଳ ଥାନା ଆଗରେ ପଡିବାରୁ ଥାନାରେ କାର୍ଯ୍ୟରତ କନେଷ୍ଟବଳ ରବି ସେଠି ଖୋଳ ଉଠାଇବାକୁ ମହିଳା କୁ କହିଥିଲେ । ମହିଳା ଜଣକ ମୁଁ ତୋ ଚାକର ନୁହେଁ ମୁଁ କାହିଁକି ଉଠାଇବି ବୋଲି କହିବାରୁ ରବି ସେଠି ମହିଳାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏହାର ପ୍ରତିବାଦ କରିବାରୁ ଉକ୍ତ ମହିଳାଙ୍କୁ ରବି ସେଠି ସହ ଆଉ ଦୁଇ ଜଣ ପୋଲିସ୍ କର୍ମଚାରୀ ମିଶି ତଳେ ଘୋଷାରି ବାଡେଇଥିଲେ ।
ଟଣା ଘୋଷରାରେ ମହିଳାଙ୍କର ଶାଢ଼ି ସମ୍ପୂର୍ଣ୍ଣ ଚିରି ଯାଇଥିଲା ଓ ତାଙ୍କ କାନ ବାଟେ ରକ୍ତ ବାହାରିଥିଲା। ସମ୍ପୂର୍ଣ୍ଣ ଘଟଣାକୁ ସେଠାରେ ଥିବା କିଛି ଲୋକେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣାରେ ଭଦ୍ରକ ଏସ୍ପି ବରୁଣ ଗୁଣ୍ଟୁପାଲି ଚାନ୍ଦବାଲି ଏସ୍ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ ଚାନ୍ଦବାଲି ଥାନାଧିକାରୀ ପଞ୍ଚାନନ ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେବା ସହ ଏଏସ୍ଆଇ ନେପାଳ ସାହା ଓ ରବୀନ୍ଦ୍ର ସେଠୀଙ୍କୁ ଭଦ୍ରକ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏ ସମ୍ପର୍କରେ ଏସ୍ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ଘଟଣା ମୋବାଇଲରେ ଦେଖିଛି ଓ ତଦନ୍ତ ପରେ ରିପୋର୍ଟ ଏସ୍ପିଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିିବାକୁ ଚାନ୍ଦବାଲି ଦଳିତ ମହାସଂଘ ଦାବି କରିଛି। ଏହି ଘଟଣାରେ ମହିଳାଙ୍କ ଅଭିଯୋଗକୁ ଭତ୍ତିକରି ଥାନାରେ ଏକ ମାମଲା(ନଂ.୨୮୫/୨୪) ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅନ୍ୟ ଏକ ମାମଲା(ନଂ.୨୮୪/୨୪) ରୁଜୁ ହୋଇଛି।