ଦଶପଲ୍ଲା : ଥାନା ନୁହେଁ ତ ସତେ ଯେମିତି ସେକେଣ୍ଡ ହ୍ୟାଣ୍ଡ ବାଇକ୍ ଶୋ – ରୁମ୍ । ହଁ ଆଜ୍ଞା ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କଥା । ସାମାନ୍ୟ ସୁରାକ ପାଇ ଶେଷରେ ସଫଳତାର ଶୀର୍ଷରେ ପହଞ୍ଚିଛି ଦଶପଲ୍ଲା ପୋଲିସ ।
ଏଇ କିଛିଦିନ ହେବ ଚୋରା ବାଇକ ଲୁଟେରାଙ୍କ ଉତ୍ପାତ ବଢି ଚାଲିଛି । ସବୁ ସ୍ଥାନରେ ଦେଖିବାକୁ ମିଳିଛି ଏହି ବାଇକ ଚୋରଙ୍କ ରା଼ଜ଼ । ହେଲେ କଥାରେ ଅଛି ଚୋର ଘର ଅନ୍ଧାର ରୁହେନି ସେଥିପାଇଁ ତ ପୋଲିସ ନଜରରୁ ବଞ୍ଚି ପାରିଲେନି । ଗତ କିଛିଦିନ ତଳେ ୩ଟି ଚୋରା ବାଇକ୍ ଜବତ କରିବା ସହିତ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ପୋଲିସ ଆଜି ୩୧ ଟି ବାଇକ୍ ଜବତ କରିବା ସହିତ ଗିରଫ ସଂଖ୍ୟା ୪ ରେ ପହଞ୍ଚିଛି । ଏନେଇ ଦଶପଲ୍ଲା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି ।
ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବାଇକ୍ ଚୋରି ବଢୁଥିବା ବେଳେ ଜିଲ୍ଲାରୁ ଏହି ରାକେଟକୁ ସଂପୂର୍ଣ୍ଣ ଧ୍ଵଂସ କରାଯିବ ବୋଲି ସୂଚନା ଦେଇଛନ୍ତି । ଗତ କିଛିଦିନ ତଳେ ଦଶପଲ୍ଲା ଅଞ୍ଚଳରୁ ୩ଟି ଚୋରା ବାଇକ୍ ଜବତ କରିବା ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଦଶପଲ୍ଲା ପୋଲିସ । ସେଥି ମଧ୍ୟରୁ ଜଣକୁ ରିମାଣ୍ଡରେ ଆଣି ପଚରାଉଚରା କରି ତଦନ୍ତ କରିବା ପରେ ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ତତ୍ୱାବଧାନରେ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ୨ ଜଣକୁ ଗିରଫ କରିବା ସହିତ ଏଯାବତ୍ ପାଖାପାଖି ୩୧ଟି ଚୋରା ଗାଡ଼ି ଜବତ କରିବାରେ ସକ୍ଷମ ହୋଇ ସାରିଛି ଦଶପଲ୍ଲା ପୋଲିସ । ଯାହାକୁ ନେଇ ଦଶପଲ୍ଲା ଥାନା ପରିସରରେ ନୟାଗଡ଼ ଏସପି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।
ଏହି ଚୋରା ବାଇକ୍ କାରବାର କୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଏ ଦିଗରେ ଅଧିକ ତଦନ୍ତ ଚଳାଇଛି । ଏଥିରେ ସାମିଲ ଥିବା କୌଣସି ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ । ଖୁବଶୀଘ୍ର ଯଦି ଏଥିରେ ଆଉ କିଏ ସାମିଲ ଥିବେ ତାଙ୍କୁ ଧରାଯିବା ସହିତ ଏ ଗାଡ଼ି ଗୁଡ଼ିକର ଅସଲି ମାଲିକଙ୍କୁ ଚିହ୍ନଟ କରାଯାଇ ନୟାଗଡ଼ରେ ହୋଇଥିବା ମୋବାଇଲ ମେଳା ଭଳି ଦଶପଲ୍ଲାରେ ଏକ ବାଇକ୍ ମେଳା କରାଯାଇ ବାଇକ୍ ଗୁଡ଼ିକର ଅସଲି ମାଲିକଙ୍କୁ ବାଇକ୍ ଦିଆଯିବ ।