ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୩ ବର୍ଷର କୁନି ଝିଅ ଆୟୁସୀ,  ପ୍ରତିଭା ପାଇଁ ସାଉଣ୍ଟୁଛନ୍ତି ପ୍ରଶଂସା

ବୟସ ମାତ୍ର ୩ବର୍ଷ ୮ମାସ, ହେଲେ ବିଚକ୍ଷଣ ପ୍ରତିଭା । କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ସେ । ନିଜର ବିଚକ୍ଷଣ ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ମାତ୍ର ୩ ବର୍ଷ ବୟସରେ ନିଜ ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟିଛନ୍ତି ସଫଳତା । ନିଜ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ସ୍ଥାନ ହାସଲ କରିଛନ୍ତି ଆୟୁସୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିକୁଳା ଗାଁର ମାନସ ରଞ୍ଜନ ଓ ଶିବାନୀଙ୍କ ଝିଅ ଆୟୁସୀ ସାହୁ । କଥା କହିଲେ ପାଟି ଲାଖି ଯାଉଛି । ହେଲେ ୨୫ଟି ଇଂରାଜୀ ଗୀତ, ୪୦ ଟି ଦେଶକୁ ଅନର୍ଗଳ ଭାବେ କହି ସମସ୍ତଙ୍କ ମନ ମୋହୁଛନ୍ତି ।

୪୦ ଟି ଦେଶ, ୮ଟି ପ୍ଲାଣ୍ଟସ୍ ଇଂରାଜୀରେ କହି ଦେଖଣାହାରୀଙ୍କୁ କରି ଦେଉଛନ୍ତି ତାଜୁବ୍ । କେବଳ ସେତିକି ନୁହଁ ଇଂରାଜୀରେ ୭କ ପଣିକିଆ, ୨୮ ରାଜ୍ୟର ରାଜଧାନୀ, ୨୧ ନ୍ୟାସନାଲ ସିମ୍ବଲ୍ସ୍ ର ନା କହି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହୋଇ ପାରିଛନ୍ତି । ତେବେ ଝିଅର ପ୍ରତିଭା ପାଇଁ ମା ଓ ବାପାଙ୍କ ସହ ଘରର ସଦସ୍ୟମାନେ ବେଶ୍ ଖୁସି ଅଛନ୍ତି । ଝିଅକୁ ସବୁବେଳେ ପାଠ ପଢ଼ାଉଥିବା ମା ଇଣ୍ଡିଆ ବୁକ୍ ରେ ଝିଅର ନା ଆସିବା ପରେ ଆଗକୁ କିପରି ଭଲ ପାଠ ପଢ଼ିବ ସେ ନେଇ ବେଶ୍ ପରିଶ୍ରମ କରୁଛନ୍ତି ।

ଯେଉଁ ବୟସରେ ପିଲା ଏ,ବି,ସି,ଡି ପାଠ ପଢ଼ିଥାନ୍ତି ସେ ବୟସରେ ଆୟୁସି ଏତେ ସବୁ ଶିଖିବା ନିଶ୍ଚତ ଭାବେ ପ୍ରଶଂସାର ଯୋଗ୍ୟ ।   ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ଆୟୁସୀଙ୍କ ପାଖରେ ଦେଖିବାକୁ ମିଳିଛି । ତେବେ ଆଗକୁ ଏହିଭଳି ତାଙ୍କର ସଫଳତାର ଯାତ୍ରା ଜାରି ରହୁ ଏହାହିଁ ସମସ୍ତଙ୍କ ଆଶା ।

Also Read: ୨ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କଲେ କୁନି ପ୍ରତିଭା ବିବେକ