ଭୁବନେଶ୍ୱର : ରଥଯାତ୍ରା ସମୟରେ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍ । ଏ ନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ସରକାର ଏଭଳି ପଦକ୍ଷେପ ନେଇଥିବାର ଜଣା ପଡିଛି । ଏହା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରିବ ରେଳବାଇ। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ରଥ ଯାତ୍ରା ପାଇଁ ଚଳିତ ବର୍ଷ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର, ଦଶପଲ୍ଲାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀ ସହିତ ଯୋଡାଯାଇଅଛି । ଛତିଶଗଡର ରାୟପୁର ଓ ଜଗଦଲପୁରରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ପାଲାସାରୁ ଏବଂ ପଶ୍ଚିମ ବଙ୍ଗରୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ପୁରୀ କୁ ଚଳାଚଳ କରିବ । ଓଡ଼ିଶାର ବାଦାମପାହାଡ଼, ରାଉରକେଲା, ଜୁନାଗଡ଼ ରୋଡ, ବାଲେଶ୍ୱର, ସୋନପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ଦଶପଲ୍ଲା, ସମ୍ବଲପୁର, ବାଙ୍ଗିରିପୋସି, ଖୋର୍ଦ୍ଧା ରୋଡରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଯାତ୍ରା କରିବ ।
ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଓ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ସେଡ୍ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା ଓ ଆମ୍ବୁଲାନ୍ସ, ଯାତ୍ରୀ, ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଓ ପର୍ଯ୍ୟାପ୍ତ ଶୌଚାଳୟ ଯୋଗାଇବା ଦିଗରେ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।
ରଥ ଯାତ୍ରା ଅବସରରେ ଓଡ଼ିଶାକୁ ସ୍ଵତନ୍ତ୍ର ଟ୍ରେନ ବ୍ୟବସ୍ଥା ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ ଓ ପ୍ରଭାତୀ ପରିଡ଼ା। ରେଳବାଇ ତରଫରୁ ସ୍ବତନ୍ତ୍ର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଅଶ୍ବିନୀ ବୈଷ୍ଣବଙ୍କ ସହ ସାକ୍ଷାତ ସମୟରେ ଓଡ଼ିଶାରେ ରେଳ ପଥ ସମ୍ପ୍ରସାରଣ ଓ ଅଧିକ ଅପହଞ୍ଚ ସ୍ଥାନକୁ ରେଳ ସଂଯୋଗ କରିବାକୁ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ।