ଏମିତି ଠକଙ୍କୁ ସାବଧାନ : ମେଡିକାଲ କଲେଜରେ ସିଟ୍‌ କରାଇ ଦେବାକୁ କହି ଲୁଟି ନେଲେ ୩୨ ଲକ୍ଷ

ଭୁବନେଶ୍ୱର (କେନ୍ୟୁଜ): ମେଡିକାଲ ଶିକ୍ଷା ପାଇଁ ସିଟ୍‌ ବ୍ୟବସ୍ଥା କରି ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଦୁଇ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଅଭିମନ୍ୟୁ କୁମାର ସିଂହ ଓ ସୁଗତ ଚୌଧୁରୀ ୩୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ।

ସେମାନଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିବାରେ ସଫଳ ହୋଇଛି ପୋଲିସ । ଜଣକୁ କୋଲକତାରୁ ଏବଂ ଆଉ ଜଣକୁ ପାଟନା ରେଳ ଷ୍ଟେସନ୍‌ରୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୋଲିସ । ସେମାନଙ୍କ ନିକଟରୁ ଠକେଇରେ ବ୍ୟବହୃତ ହୋଇଥିବା ୨ଟି ଲାପଟପ,୮ଟି ମୋବାଇଲ ଓ ଗୋଟିଏ ଜାଲ୍‌ ଆଧାର କାର୍ଡ ଜବତ ହୋଇଛି । ଏମାନେ ଖାଲି ଓଡ଼ିଶା ନୁହନ୍ତି କର୍ଣ୍ଣାଟକ,ବିହାର, କୋଲକତା ଓ ଛତିଶଗଡ଼ ଭଳି ବିଭନ୍ନ ରାଜ୍ୟରେ ଠକେଇ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ବିଭନ୍ନ ହସ୍ପିଟାଲ୍‌୍‌ରେ ଡାକ୍ତର ଥିବା କହି ପିଲା ଓ ଅଭିଭାବକମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ତା ପରେ ମେଡିକାଲ କଲେଜରେ ସିଟ୍‌ କରାଇ ଦେବେ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଇନ୍‌ଫୋସିଟି ଥାନାରେ ଗତ ୫ ତାରିଖ ଦିନ ଜଣେ ଯୁବତୀ ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ସେହି ଏଫ୍‌ଆଇଆର ଆଧାରରେ ପୋଲିସ ତଦନ୍ତ କରୁଛି। ଏହି ଦୁଇ ଜଣ ଠକ ସେମାନଙ୍କର ନାଁ ବଦଳାଇ ଜାଲ ପରିଚୟ ପତ୍ର ତିଆରି କରି ବିଭନ୍ନ ରାଜ୍ୟ ବୁଲୁଥିଲେ ।

ରାଜଧାନୀର ଏକ ନାମୀ ମେଡିକାଲ କଲେଜରେ ସିଟ୍‌ କରାଇ ଦେବେ କହି ଏମାନେ ଏହି ଯୁବତୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ନେଇଥିଲେ । ପୋଲିସ୍‌ର ଖୋଳତାଡ଼ ପରେ ଜଣାପଡ଼ିଛି କି ଏହି ଦୁଇ ଠକ ଅନେକ ଲୋକଙ୍କୁ ଏମଳି ଭାବେ ଚିତା କାଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.