ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି କରି ତା’ର ଚିକିତ୍ସା କରୁଛୁ ହେଲେ ମୋ ପୁଅ ଚାଲି ପାରୁନି । ମୋ ପୁଅର ଚିକିତ୍ସା ପାଇଁ ମୋତେ ଟିକିଏ ସରକାର ସାହାଯ୍ୟ କରନ୍ତୁ ।ଏମିତି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ଏଇ ବାପା ଜଣକ । ଜଣେ ବାପାର ଏପରି କାନ୍ଦ ଦେଖି ଆମ ଛାତି ମଧ୍ୟ ଥରି ଉଠୁଛି । ଯେତେବେଳେ ଭେଣ୍ଡିଆ ପୁଅ ବିଛଣାରେ ଶୋଇ ରୁହେ ସେତେବେଳେ କୋଉ ବାପା, ମା’ ବି ଧୈର୍ଯ୍ୟ ଧରି ରହି ପାରିବେ । ଗରିବ ଘରେ ରୋଗ ହେଉଛି ସବୁଠୁ ବଡ଼ ଦୁର୍ଦ୍ଦଶା ଓ ଦୁଃଖ ।
ଆମେ କହୁଛୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଳସାହି ଗାଁର ଦୈତାରୀ ପାତ୍ରଙ୍କ ପୁଅ କଥା । ଯିଏ ଶଯ୍ୟାଶାୟୀ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଦୈତାରୀଙ୍କ ଦୁଇ ପୁଅ । ସାନପୁଅ ହେଉଛନ୍ତି ଅନନ୍ତ, ଯାହାଙ୍କ ବୟସ ଏବେ ୩୫ ଛୁଇଁଲାଣି । ଅନନ୍ତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ମନରେ ଥିଲା ତାଙ୍କର ଅସୁମାରୀ ସ୍ବପ୍ନ । ସେଥିପାଇଁ ଦିନ ରାତି ଏକ କରି ପାଠ ପଢୁଥିଲେ । ଇଚ୍ଛା ଥିଲା ପାଠ ପଢି ଭଲ ମଣିଷ ହେବା ସହ ବଡ ଚାକିରି କରିବେ। ଘରର ଅଭାବ ଅନଟନକୁ ଦୂର କରି ପରିବାରର ବୋଝ ନିଜ ମୁଣ୍ତକୁ ନେବେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଯୁକ୍ତ ଦୁଇ ପାସ କରିବା ପରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅନନ୍ତ । ପୁଅର ଏଭଳି ଅବସ୍ଥା ଦେଖି ବୁଢା ବାପା ମା’ ଙ୍କ ଆଖିରୁ ଶୁଖୁନି ଲୁହ ।
ଅନନ୍ତ ବହୁ କଷ୍ଟରେ +2 ପାସ କରିବା ପରେ ହଠାତ ଗୋଡ ହାତ ଅଚଳ ହେବାକୁ ଲାଗିଲା । ଧୀରେ ଧୀରେ ସମ୍ପୂର୍ଣ୍ଣ ଗୋଡ ଅକାମୀ ହୋଇଗଲା । ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଜମିବାଡି ବିକ୍ରି କରି ୪ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ବିଭିନ୍ନ ହସପିଟାଲରେ ଚିକିତ୍ସା କରାଇଲେ । ମାତ୍ର ଶରୀର ସୁସ୍ଥ ହେବା ପରିବର୍ତ୍ତେ ଅବସ୍ଥା ବିଗିଡିବାକୁ ଲାଗିଲା । ଏମିତିକି କଣ ରୋଗ ହୋଇଛି ତାହା ମଧ୍ୟ ଡାକ୍ତରମାନେ ଜାଣି ପାରିଲେନି । ପରିସ୍ଥିତି ଏମିତି ହେଲା ଯେ ଚଲା ବୁଲା କରିବା ତ ଦୂରର କଥା ଘୋଷାରି ଘୋଷାରି ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ଯିବାକୁ ପଡିଲା । +2 ପାସ କରିବା ପରେ ଅନନ୍ତଙ୍କ ପାଠ ପଢାରେ ଡୋରି ବନ୍ଧା ହେଲା । ପାଠ ପଢି ଚାକିରି କରିବା ଓ ବଡ ମଣିଷ ହେବା ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା । ଏବେ ପୂରୁଣା ସାର୍ଟିଫିକେଟକୁ ଦେଖି ଆଖିରୁ ଲୁହ ଗଡାଉଛନ୍ତି ଅନନ୍ତ । ଅନ୍ୟପଟେ ପୁଅ କଥା ଚିନ୍ତା କରି ବୁଢା ବାପା ମା’ଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି ।
ବାପା ଦୈତାରୀ ବୁଢା ବୟସରେ ପର ଘରେ ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ଚଳୁଛି ପରିବାର । ଏମିତିକି ଧାର ଉଧାର କରି ପୁଅର ଔଷଧ ଖର୍ଚ୍ଚ ତୁଲାଉଛନ୍ତି । ଅନନ୍ତଙ୍କ ଗୋଡ ହାତ ପତଳା ହୋଇଯିବା ସହ ମୁହଁ ଫୁଲିବାକୁ ଲାଗିଲାଣି । ଅର୍ଥାଭାବ ଯୋଗୁଁ ଆଉ ପୁଅର ଚିକିତ୍ସା କରାଇପାରୁ ନାହାନ୍ତି ପରିବାର ଲୋକେ। କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବା ପାଇଁ ନେହୁରା ହେଉଛନ୍ତି ବୁଢା ବାପା ମା । ସରକାରୀ ସହାୟତା କହିଲେ କେବଳ ଭିନ୍ନକ୍ଷମ ଭତ୍ତା ଟଙ୍କା । ଅନନ୍ତଙ୍କ ପାଇଁ ଚାଉଳ ଏବଂ ବ୍ଯାଟ୍ରି ଚାଳିତ ସାଇକେଲଟିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି କାନରେ ପୂରାଉ ନାହାନ୍ତି । ତେଣୁ ତାଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଅନ୍ତଦୋୟ ଯୋଜନାରେ ଚାଉଳ ଏବଂ ବ୍ୟାଟେରୀ ସାଇକେଲ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।
ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ଏହି ଅସହାୟ ପରିବାରକୁ ସହଯୋଗର ହାତ ବଢାନ୍ତି ତାହାଲେ ଅନନ୍ତଙ୍କ ଜୀବନ ବଞ୍ଚି ଯାଇ ପାରନ୍ତା । ଆମେ ମଧ୍ଯ ଆପଣଙ୍କ ନିକଟରେ ଖବର ପହଞ୍ଚାଉଛୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ । କାରଣ ବିଗତ ଦିନରେ ଆପଣମାନେ ଏଭଳି ଅନେକ ଅସହାୟ ମାନଙ୍କର ସାହାରା ପାଲଟିଛନ୍ତି । ଯଦି ଆପଣ ଅନନ୍ତଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତାହାଲେ ଅନନ୍ତଙ୍କର ଫୋନପେ ନମ୍ବର ରେ ସହାୟତା ପଠାଇ ପାରିବେ PHONE PAY – 6370021487 ।