ବର୍ଷା ଋତୁରେ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; କଣ୍ଟାବାଞ୍ଜିରେ ୩୭ ଜଣଙ୍କୁ ଡାଇରିଆ

କଣ୍ଟାବାଞ୍ଜି: ଚାଲିଛି ବର୍ଷା ଋତୁ । ହେଲେ ଏବେ ଠାରୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମଶାଜନିତ ରୋଗ ଏବଂ ଜଳବାହିତ ରୋଗ । ବିଶେଷ ଭାବରେ ରାଜ୍ୟରେ ଡାଇରିଆ ସ୍ଥିତି ସାଙ୍ଘାତିକ ହେବାକୁ ଲାଗିଲାଣି । ଏଥିସହ ସେପଟେ ବର୍ଷା ଦିନରେ ମଶା ବଂଶ ବିସ୍ତାର କରୁଥିବା ବେଳେ ମଶାଜନିତ ରୋଗ ଯଥା: ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ।
ସେପଟେ କଣ୍ଟାବାଞ୍ଜି ଅଞ୍ଚଳରେ ବଢୁଛି ଡାଇରିଆ । ଗୋଟିଏ ଦିନରେ ୩୭ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇଛି। ଆକ୍ରାନ୍ତ ମାନେ ମୁଖ୍ୟତଃ ବେଲପଡା, ତୁରେକେଲା, ସଲଣ୍ଡି, କୁଇବାହାଲ ଭଳି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସା ଯୋଗାଇବାକୁ ମେଡିକାଲ ଟିମକୁ ସମସ୍ୟା ସୃଷ୍ଟି ହୋଇଛି । ଡାକ୍ତରଖାନାରେ ଏବେ ପୁରୁଷ ଓ ମହିଳା ୱାର୍ଡରେ ୩୦ଟି ବେଡ଼ ରହିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ରୋଗୀ ଥିବା ୱାର୍ଡରେ ଡାଇରିଆ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି । ସେପଟେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ନଥିବା ବେଳେ ବେଡ଼ ସଂଖ୍ୟା ଆହୁରି ବଢ଼ାଇବାକୁ ଦାବି ଉଠିଛି। କମ୍ ସଂଖ୍ୟକ ବେଡ ଥିବାରୁ ଡାଇରିଆ ଆକ୍ରାନ୍ତଙ୍କ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ କହିଛନ୍ତି ।