୩୮ ମାଓବାଦୀଙ୍କ ଆତ୍ମସମର୍ପଣ, ତେଲଙ୍ଗାନା ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି : ୩୮ ମାଓବାଦୀ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲା ଏସପିଙ୍କ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାର୍ଟି ମେମ୍ବର, ୧୬ ଜଣ ମିଲିସିଆ ମେମ୍ବର, ୭ ଜଣ VCMS ସଦସ୍ୟ,୬ଜଣ KAMS ସଦସ୍ୟ, ୩ ଜଣ CNM ସଦସ୍ୟ ଓ ୪ ଜଣ GRDS ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ ବେଳେ ମାଓ ସଂଗଠନରେ ମିଳିଥିବା ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ସବୁ ପୋଲିସ ପାଖରେ ହସ୍ତାନ୍ତର କରିଛନ୍ତି ।

ଆତ୍ମସମର୍ପଣ ପରେ ତେଲଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ଭଦ୍ରାଦ୍ରୀ କୋତ୍ତାଗୁଡେମ ଏସପି କହିଛନ୍ତି । ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୩୮ ଜଣ ମାଓବାଦୀ ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । ଛତିଶଗଡ ଅପେକ୍ଷା ତେଲଙ୍ଗାନା ରାଜ୍ୟ ସରକାରଙ୍କ ସରେଣ୍ଡର ପଲିସି ଭଲ ରହିଥିବା ହେତୁ ନିଜ ଅଞ୍ଚଳରୁ ଲୁଚି ଛପି ଯାଇ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଯେଉଁ ମାଧ୍ୟମରେ ହେଉ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ଫେରିବାର ଆବଶ୍ୟକତା ରହିଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ।