ଭୁବନେଶ୍ଵର : ଡିସିପି ନିର୍ଦ୍ଦେଶ କ୍ରମେ ଗତ କିଛିଦିନ ଧରି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବର୍ତ୍ତମାନ ଚାଲିଥିବା ପାର୍ବଣ ଋତୁକୁ ଆଖି ଆଗରେ ରଖି ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳ ମାନଙ୍କରେ ବାଇକ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଅଛି । ଆଜି କରାଯାଇଥିବା ପେଟ୍ରୋଲିଂ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଅଭିଯୋଗରେ ୭୬ ଜଣ ଆଇନ ଉଲଂଘନକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ, ବେଆଇନ ନିଶା ବିକ୍ରୟ ଅଭିଯୋଗରେ ୧୦ ଜଣଙ୍କୁ ଅଟକ ରଖାଯାଇଛି । ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ୩୮ ଗାଡି ଜବତ କରାଯାଇଛି ।
ବର୍ତ୍ତମାନ ସୁଧା ପେଟ୍ରୋଲିଂ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହା ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ଜାରି ରହିବାର ସୂଚନା ରହିଛି । ବିଭିନ୍ନ ଥାନାର ଥାନା କର୍ମଚାରୀ, ପିଓପିଡି ଓ ଟିମ-୬୦ ର ଅଧିକାରୀ ଏବଂ କର୍ମଚାରୀ ତଥା ଏପିଆର କନଷ୍ଟେବଲମାନଙ୍କୁ ନେଇ ପେଟ୍ରୋଲିଂ ଲାଗି ଟିମ ଗଠନ କରାଯାଇଥିବା ବେଳେ ଦୁଇଟି ଥାନାକୁ ନେଇ ଗୋଟିଏ ଗୋଟିଏ ଟିମ ଗଠନ କରଯାଇଛି । କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନାକୁ ନେଇ ଟିମ-ଏ ଗଠନ କରାଯାଇଥିବା ବେଳେ, ଏୟାରପୋର୍ଟ ଥାନା ଓ ଲିଙ୍ଗରାଜ ଥାନାକୁ ନେଇ ଟିମ-ବି, ଭରତପୁର ଥାନା ଓ ଖଣ୍ଡଗିରୀ ଥାନାକୁ ନେଇ ଟିମ-ସି, ବଡଗଡ ଥାନା ଓ ଲକ୍ଷ୍ମୀସାଗର ଥାନାକୁ ନେଇ ଟିମ-ଡି, ମଞ୍ଚେଶ୍ଵର ଥାନା ଓ ଶହୀଦନଗର ଥାନାକୁ ନେଇ ଟିମ-ଇ, ନୟାପଲ୍ଲୀ ଥାନା ଓ ମୈତ୍ରୀବିହାର ଥାନାକୁ ନେଇ ଟିମ-ଏଫ, ଇନ୍ଫୋସିଟି ଥାନା ଓ ଚନ୍ଦ୍ରଶେଖରପୁର ଥାନାକୁ ନେଇ ଟିମ-ଜି ଏବଂ ନନ୍ଦନକାନନ ଥାନାକୁ ନେଇ ଟିମ-ଏଚ ଭ୍ବେ ମୋଟ ୮ ଟି ଗଠନ କରଯାଇଛି ।
ପ୍ରତି ଟିମରେ ଜଣେ ଲେଖାଏଁ ପିଓପିଡି ଟିମ ସବ-ଇନ୍ସପେକ୍ଟର, ଜଣେ ଅଫିସର, ୨ ଜଣ ଟିମ-୬୦ ର ସଦସ୍ୟ, ୩ ଜଣ ଓଆର ହାବିଲଦାର ଏବଂ ୩ ଜଣ ଏପିଆର କନଷ୍ଟେବଲ ସାମିଲ ହୋଇଥିବା ବେଳେ, ପ୍ରତି ଟିମ ନିଜନିଜ ଅଞ୍ଚଳରେ ବାଇକ ପେଟ୍ରୋଲିଂ କରିଥିଲେ । ଆଜି ବାଇକ ପେଟ୍ରୋଲିଂ ସମୟରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ କରିବା, ବିଭିନ୍ନ ଖଟି/ଆଡା, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ, ଯଥା- ଚୋରୀ, ଲୁଟ, ଛିନତାଇ, ବେଆଇନ ମଦ, ଗଞ୍ଜେଇ ଓ ଡ୍ରଗ୍ସ ବିକ୍ରି ଉପରେ ତୀକ୍ଷଣ ନଜର ରଖିବା ସହିତ ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କାବୁ କରିବା ଦିଗରେ ବିହୀତ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଜନସାଧାରଣଙ୍କୁ ଏଦିଗରେ ମଧ୍ୟ ସଚେତନ କରାଯାଇଥଛି ।
ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ବାଇକ ପାଟ୍ରୋଲିଙ୍ଗ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବା ସହିତ ଚଳିତ ପାର୍ବଣ ଋତୁକୁ ଶୃଙ୍ଖଳିତ ତଥା ସୁରୁଖୁରୁରେ ପାଳନ କରାଯିବା ନିମନ୍ତେ କମିସନରେଟ ପୁଲିସ ତରଫରୁ କୁହାଯାଇଛି । ଜନସାଧାରଣମାନେ ଲୁଟ, ଛିନତାଇ, ଚୋରୀ ତଥା କୌଣସି ଅପରାଧିକ କାର୍ଯ୍ୟକଳାପ ଓ ବେଆଇନ ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର-୭୦୭୭୭୯୮୧୧୧ ଜାରି କରାଯାଇଥିବା ବେଳେ, ସୂଚନା ପ୍ରଦାନକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି କୁହାଯାଇଛି ।