ରିମାଣ୍ଡରେ ଯିବ ଟିଟୋ : ୪ଟି ମାମଲାକୁ ରି-ଓପନ୍ କରିଛି କେନ୍ଦ୍ରାପଡା ପୋଲିସ

କେନ୍ଦ୍ରାପଡା : ଗୋଲ୍ଡେନ୍ ପପୁ ଓରଫ୍ ମହମ୍ମଦ ଅବଦୁଲ୍ ଅଜିଜ୍ । ଇମତିଆଜ୍୍ ଖାନ୍, ଶେଖ୍ ଅବଦୁଲ୍ଲା ଓ ଜାହାଙ୍ଗିର ଖାନ୍ । ଏହି ଚାରି ମୋଷ୍ଟ ଓ୍ଵାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ । ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଟିଟୋର ଭାଇ ସପୋର ସାର୍ପ ସୁଟର୍ ଥିଲା ଗୋଲଡେନ୍ ପପୁ । ତା’ ନାଁରେ ରହିଛି ୨୦ରୁ ଅଧିକ ଅପରାଧିକ ମାମଲା । ୪ଟି ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ରହିଛି । ଟେଣ୍ଡର ଫିକ୍ସିଂ ହେଉ କି ବାଲିଘାଟ ନିଲାମ୍, ଟିଟୋ ପାଇଁ ଗୋଲ୍ଡେନ୍ ପପୁ କାମ କରୁଥିଲା । ଅନ୍ୟ ୩ ଜଣ ତାକୁ ସହଯୋଗ କରନ୍ତି ।
ସୋମବାର ବିଳମ୍ବତ ରାତିରେ କଟକରୁ ୮ଜଣଙ୍କୁ ଉଠାଇଆଣିଥିଲା ଏସ୍ଟିଏଫ୍ । ପଚରାଉଚରା ପରେ ୪ ଜଣଙ୍କୁ ଛାଡ଼ି ଦେଇଥିଲା । କ୍ରାଇମବ୍ରାଞ୍ଚ କବ୍ଜାରେ ରହିଥିଲେ ଗୋଲଡେନ୍ ପପୁ, ଇମତିଆଜ୍ ଖାନ୍, ଶେଖ୍ ଅବଦୁଲ୍ଲା, ଜାହାଙ୍ଗିର ଖାନ୍ । ଟିଟୋ ଲିଙ୍କ୍ର ଯଥେଷ୍ଟ ପ୍ରମାଣ ପାଇବା ପରେ ଏସ୍ଟିଏଫ୍ ଏମାନଙ୍କୁ ବାନ୍ଧିଛି । ସେହିପରି କମିଶନରେଟ ପୋଲିସର ମୋଷ୍ଟ ଓ୍ଵାଡେଣ୍ଡ ଲିଷ୍ଟରେ ବି ଥିଲେ ଏହି ୪ ଜଣ । କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଛି । ତେ ସେମାନେ କହିଛନ୍ତି, ଟିଟୋ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ମିଛରେ ପୋଲିସ ବାନ୍ଧି ଆଣିଛି ।
ସେପଟେ ଟିଟୋର ୪ଟି ମାମଲାକୁ ରି-ଓପନ୍ କରିଛି କେନ୍ଦ୍ରାପଡା ପୋଲିସ । ୨୦୧୭ ଡିସେମ୍ବର ୨୧ । କେନ୍ଦ୍ରାପଡ଼ା ଚକଡ଼ାଠାରେ ଜିଆଇପିଏଲ୍ କମ୍ପାନୀର ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୨୦୧୬ ଜନୁୟାରୀ ୨୪ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ନିକଟରେ କେଦାର ସ୍ୱାଇଁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୧୫ ଏପ୍ରିଲ ୨୪ । ମାର୍ଶାଘାଇ ଥାନା ପାଇକା ନଦୀବନ୍ଧରେ ରାଜ କିଶୋର ବେହେରାଙ୍କୁ ହତ୍ୟା ଓ ୨୦୧୩ ସେପ୍ଟେମ୍ବର ୨୨ରେ କୁସୁନପୁର ରାସ୍ତାରେ ବିଚିୟା ନାୟକଙ୍କୁ ହତ୍ୟା କରାଯାଇଥିଲା । ଏସବୁ ହତ୍ୟାକାଣ୍ଡ ଟିଟୋ ଇସାରାରରେ ହୋଇଥିବା କେନ୍ଦ୍ରାପଡା ପୋଲିସ ଜାଣିବାକୁ ପାଇଛି । ପୁନଃ ତଦନ୍ତ ଓ ଅଧିକ ତଥ୍ୟ ହାସଲ ପାଇଁ ଟିଟୋକୁ ପୋଲିସ ରିମାଣ୍ଡ ନେବ । ଥେିପାଇଁ କୋର୍ଟରେ ଆବେଦନ କରାଯାଇଛି । ଏବେସୁଦ୍ଧା ଗ୍ୟାଙ୍ଗଷ୍ଟର ଟିଟୋ ସମେତ ୧୩ ଜଣ ସହଯୋଗୀକୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ସାର୍ପ ସୁଟର ।