ବାଲେଶ୍ବର : ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ମୃତ, ୨୩ ଆହତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ଯ ହରାଇ ଜାତୀୟ ରାଜପଥରୁ୨୦ ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ୨୩ ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ୧୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ଉତ୍ତରପ୍ରଦେଶର ୫୭ଜଣ ତୀର୍ଥ ଯାତ୍ରୀ କ୍ରିଷ୍ଣା ନାମକ ବସ ଯୋଗେ ଗତ ୧୮ତାରିଖରୁ ତୀର୍ଥ ଯାତ୍ରା ପାଇଁ ବାହାରି ଥିଲେ ।
ଗତକାଲି ରାତିରେ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବସ ଟି ଭାରସାମ୍ଯ ହରାଇ ଓଲଟି ପଡି ଥିଲା । ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ଯାନ , ଜଳେଶ୍ବର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ କରିଥିଲେ । ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆହତମାନଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲରେ ଭର୍ତ୍ତି କରା ଯାଇ ଥିବା ବେଳେ ୧୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି ।