୪ ଝିଅଙ୍କୁ ନେଇଗଲା ଦଲାଲ, ଝିଅମାନେ ଯିବାର ୧୬ ଦିନ ବିତିବା ପରେ ବି ମିଳୁନି ଝିଅଙ୍କ ପତ୍ତା

ବଢିଲା ଝିଅଙ୍କ ଫେରିବା ବାଟକୁ ଚାହିଁ ଦୁଆର ମୁହଁରେ ଜଗି ବସିଛନ୍ତି ବାପା ମା’ । ଝିଅର ଫଟୋକୁ ଦେଖି ଝୁରି ହେଉଛନ୍ତି କେବେ ପୁଣି ଘରକୁ ଆସିବ ଝିଅ । ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଏହାରି ଭିତରେ ୧୬ ଦିନ ବିତି ଗଲାଣି । ଝିଅମାନେ କୁଆଡେ ଗଲେ କେଉଁଠି ଅଛନ୍ତି କିଛି ଜଣା ନାହିଁ । କାହିଁକି ନା ଗାଁର ଯୁବକ ଦଲାଲ ସାଜି ପରିବାର ଲୋକଙ୍କ ଅନୁପସ୍ଥିତିରେ ୪ ଜଣ ଯୁବତୀଙ୍କୁ କୁଆଡ଼େ ନେଇ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗାଁରେ ।
କଟୁରିଆ ଗାଁର ଯୁବକ ଧନେଶ୍ୱର ମୁର୍ମୁ ମାହାରାସାହି ଗାଁର ୪ ଜଣ ଝିଅଙ୍କୁ ବାହାର ରାଜ୍ୟକୁ ନେଇ ଚାଲି ଯାଇଛି । ଏବେ ଝିଅଙ୍କ ଫେରିବା ନେଇ ଆଶା ଓ ଆଶଙ୍କାରେ ପରିବାର ଲୋକେ । ଦାଦନ ଖଟାଇବା ପାଇଁ ନା ବାହାର ରାଜ୍ୟରେ ଝିଅଙ୍କୁ ବିକ୍ରି କରି ଦେଇଛି ସେ କଥା କିଛି ସ୍ପଷ୍ଟ ହେଉନାହିଁ । କାରଣ ଝିଅମାନଙ୍କର ପତ୍ତା ବି ମିଳୁନି । ସେମାନଙ୍କ ସହ କୌଣସି ଭାବରେ ଯୋଗାଯୋଗ ହୋଇ ପାରୁନି । ଏପଟେ ଲୋକେସନ୍ ଟ୍ରାକ୍ କଲେ ଝିଅମାନେ ମଧ୍ୟପ୍ରଦେଶରେ ଥିବା ଦେଖାଉଛି ।
ମାହାରା ସାହି ଗାଁର ପାନବତୀ ସୋରେନ, ରୁପି ସୋରେନ, ପାନ ସୋରେନ ଏବଂ ସିନିଗ ସୋରେନ ଏହି ୪ ଜଣ ଝିଅ ଗାୟବ ହୋଇ ଯାଇଛନ୍ତି ୧୬ ଦିନ ହେଲାଣି । ଏହି ୪ ଜଣ ଝିଅ ମହୁଲ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଦଲାଲ ଧନେଶ୍ୱର ତାଙ୍କୁ ଭୁଲାଇ ଚାକିରି କରାଇଦେବ ବୋଲି ପ୍ରଲୋଭନ ଦେଖାଇ ଥିଲା । ଆଉ ସେମାନଙ୍କୁ ସାଙ୍ଗରେ ନେଇ ବାହାର ରାଜ୍ୟକୁ ଚାଲି ଯାଇଥିବା ଝିଅମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଗତ ୧ ତାରିଖରୁ ଏହି ଘଟଣା ଘଟିଥିବା ବେଳେ ଏ ନେଇ ପରିବାର ଲୋକେ ସମ୍ପୃକ୍ତ ଦଲାଲ ସହିତ ଯୋଗାଯୋଗ କରିଥିଲେ । ଯାହାପରେ ସାତ ଦିନ ମଧ୍ୟରେ ଝିଅମାନଙ୍କୁ ନେଇ ଆସିବା କଥା କହିଥିଲା ଦଲାଲ । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଗାଁକୁ ଫେରି ନାହାନ୍ତି । ତେବେ ଝିଅମାନଙ୍କୁ ନେବା ପରେ ଏବେ ସେହି ଦଲାଲ ମଧ୍ୟ ଫେରାର ହୋଇ ଯାଇଛି । ଏ ନେଇ ଶରତ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲିସ କୌଣସି ସଫଳତା ପାଇ ନାହିଁ । ଯେଉଁଥିପାଇଁ ଚିନ୍ତାରେ ୪ ଝିଅଙ୍କ ପରିବାର ଲୋକେ ।
ଗରିବ ଲୋକ ଏମାନେ । ଦୁନିଆର ଭଲମନ୍ଦ ଠାରୁ ବହୁତ ଦୂରରେ । ତେଣୁ ନିଜ ଝିଅଙ୍କୁ ଖୋଜିବା ପାଇଁ ଅସମର୍ଥ । ତେଣୁ ପୋଲିସ ତୁରନ୍ତ ତଦନ୍ତ କରି ଝିଅମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
Also read: ଅଳ୍ପକେ ବର୍ତ୍ତିଲା ୪୦ ଜୀବନ, ବସ-ଟ୍ରକ ମୁଁହାମୁଁହିଁ ଧକ୍କା