ବସ୍କୁ ଧକ୍କା ଦେଲା ଅନ୍ୟ ଏକ ବସ୍; ୪ ଯାତ୍ରୀ ଆହତ

ବଲାଙ୍ଗିର : ବଲାଙ୍ଗିର ସହର ଭାଗିରଥି ଛକ ନିକଟରେ ବସ୍ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଅନ୍ୟ ଏକ ବସ୍ ଧକ୍କା ଦେବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ‘ଦିଲଦାର’ ନାମକ ବସ୍ ଯାତ୍ରୀମାନଙ୍କୁ ନେଇ ବଲାଙ୍ଗିରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ‘କିଙ୍ଗଫିସର’ ନାମକ ବସ ପଛରୁ ଆସି ‘ଦିଲଦାର’ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ‘କିଙ୍ଗଫିସର’ ବସ୍ର ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଡାକ୍ତର ଖାନାରେ ଚିକିତ୍ସା କରିବା ପରେ ସମସ୍ତ ଯାତ୍ରୀଙ୍କୁ ଛାଡି ଦିଆ ଯାଇଛି । ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ସେହିପରି ଆଜି କେନ୍ଦୁଝରରେ ବାହାଘର ଭୋଜି ଖାଇ ଫେରୁଥିବାବେଳେ କୋଇଡ଼ା ଥାନା ରେଙ୍ଗାଲବେଡ଼ା ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇ ଶିଶୁ ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।