ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୪ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କଲା ବୈରୀ ପୋଲିସ

ଯାଜପୁର (କେନ୍ୟୁଜ): ଆନ୍ତଃରାଜ୍ୟ ଡକାୟତକୁ କାବୁ କଲା ଯାଜପୁର ଜିଲ୍ଲା ବୈରୀ ପୋଲିସ। ୪ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ। ସୂଚନା ମୁତାବକ, ବୈରୀ ଥାନା ଅଧିନ ବୁଢ଼ାକେନ୍ଦୁଆଠାରେ ଥିବା ଏକ ସ୍ପଞ୍ଜ କମ୍ପାନୀର ତିନୋଟି ଟ୍ରକରୁ ପ୍ରାୟ ୨୧ଲକ୍ଷର ଟଙ୍କାରୁ ଉର୍ଦ୍ଧ୍ବ ସ୍ପଞ୍ଜ ଆଇରନ ଚୋରି ହୋଇଥିବା କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ବୈରୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ରାତ୍ରୀରେ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ଅପରାଧିମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲାର ପ୍ରଶାନ୍ତ କୁମାର ଗୁରୁ, ତିର୍ତ୍ତୋଲ ଅଞ୍ଚଳର ସନ୍ତୋଷ କୁମାର ସେଠୀ, ପାଣିକୋଇଲି ଅଞ୍ଚଳର ହିମାଂଶୁ ଶେଖର ଦଳାଇ ଓ ଢେ଼ଙ୍କାନାଳ ସଦର ଅଞ୍ଚଳର ଅଜୟ ନାୟକ। ଏମାନେ ସ୍ପଞ୍ଜ ଆଇରନ କାରଖାନାରୁ ଜାଲ ପ୍ରମାଣ ପତ୍ର ଦେଇ ୩ଟି ଟ୍ରକରେ ମାଲ୍ ଚୋରି କରିଥିଲେ। ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ ଏହି ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଯାଇଥିବା ପୋଲିସ ସୂଚନା ଦେଇଛି।