ସ୍ବାମୀଙ୍କ ନିଧନ ପରେ ମିଳିଥିବା ୪ ଲକ୍ଷ ଟଙ୍କା ସହାୟତା ରାଶିକୁ ଉଠାଇ ନେଲା ଦଲାଲ, ଏବେ ନ୍ୟାୟ ଅପେକ୍ଷାରେ ଅଞ୍ଜଳି

ସ୍ବାମୀଙ୍କ ନିଧନ ପରେ ସରକାରଙ୍କଠାରୁ ମିଳିଥିବା ୪ ଲକ୍ଷ ଟଙ୍କା ସହାୟତା ରାଶିକୁ ଉଠାଇ ନେଲେ ଦଲାଲ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗଞ୍ଜା ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି । ବିଧବା ମହିଳାଙ୍କ ବାପ ଘର କମର୍ଦା ଥାନା ଅନ୍ତର୍ଗତ ଚକପାରୁଳିଆ ଗ୍ରାମରେ । ଉକ୍ତ ଠକ ଦଲାଲ ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ଗ୍ରାମବାସୀମାନେ ଅଟକ ରଖିଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ କମର୍ଦା ପୋଲିସ୍ ପହଁଚି ଥିଲା ।

ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅନ୍ତର୍ଗତ ଜଗାଇ ଗ୍ରାମର ପ୍ରଫୁଲ୍ଲ ଦାସ ନାମକ ଯୁବକ ଲଙ୍ଗଳେଶ୍ବର ଅଞ୍ଚଳର ଗଞ୍ଜା ଗ୍ରାମର ଅଞ୍ଜଳି ଦଳାଇ ନାମକ ଜଣେ ବିଧବା ମହିଳାଙ୍କ ଠାରୁ ୪ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅଞ୍ଜଳିଙ୍କ ସ୍ବମୀ ଗତ ବର୍ଷ ନଭେମ୍ବର ମାସରେ ନଦୀରେ ବୁଡି ପ୍ରାଣ ହାରିଥିଲେ । ତେଣୁ ତାଙ୍କୁ ସହାୟତା ରାଶି ବାବଦକୁ ୪ଲକ୍ଷ ଟଙ୍କା ମିଳିଥିଲା । ତେବେ ପ୍ରଫୁଲ୍ଲ ଅଞ୍ଜଳିଙ୍କୁ ଟଙ୍କା ଉଠାଇ ଦବ କହି ବ୍ୟାଙ୍କକୁ ନେଇଯାଇଥିଲା ଏବଂ ସେଠାରେ ୭ଟି ୱଥଡ୍ରଲ ଫର୍ମ ଦସ୍ତଖତ କରି ନେଇଥିଲେ । ପ୍ରଥମେ ୪୦ହଜାର ପରେ ପର୍ଯ୍ୟାୟ କ୍ରମେ ୩ ଲକ୍ଷ ୫୫ ହଜାର ଟଙ୍କା ପ୍ରଫୁଲ୍ଲ ବାଲିଆପାଳ ବ୍ଳକ୍ ଅନ୍ତର୍ଗତ ମାନ୍ଧାତା ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ଉଠାଇ ନେଇଥିଲେ । ତେବେ ଏହି ଘଟଣାରେ ପ୍ରଫୁଲ୍ଲଙ୍କୁ ଏବେ ପୋଲିସ୍ ଅଟକ ରଖିଥିବା ଜଣାପଡିଛି।