ଶ୍ରୀମନ୍ଦିରରେ ସ୍ଥାପନ ହେବେ ନୂଆ ୪ଟି ମୂର୍ତ୍ତି

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିରରେ ସ୍ଥାପନ ହେବେ ନୂଆ ୪ଟି ମୂର୍ତ୍ତି । ଲକ୍ଷ୍ମୀଙ୍କ ପ୍ରତିମା ସହ ଗତ ୨୦ ବର୍ଷ ତଳେ ଚୋରି ହୋଇଥିବା ନାରାୟଣ ଓ ମଦନ ମୋହନ ମୂର୍ତ୍ତି ଏବଂ ବାମନ ମୂର୍ତ୍ତିକୁ ପୁଣି ଥରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବରିଷ୍ଠ ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଆନନ୍ଦ ବଜାରରେ ସଂସ୍କାର ଆଣିବା ପାଇଁ କାର୍ତ୍ତିକ ମାସ ପରେ ଅଭଡା ପ୍ରସ୍ତୁତ କରି ତର୍ଜମା କରାଯିବା ପରେ ନୂଆ ରେଟ୍‌ଚାର୍ଟ ଲଗାଯିବ । ଏହା ସହ ୪୮ଟି ସେଡ୍‌ ଆନନ୍ଦ ବଜାରରେ ସ୍ଥାପନ କରାଯାଇ ଶୃଙ୍ଖଳିତ ମହାପ୍ରସାଦ ବଣ୍ଟନ କରାଯିବ ।

ସେହିପରି ଶ୍ରୀମନ୍ଦିରର ଭିତର ଫଟୋ ବାରମ୍ବାର ଭାଇରାଲ ହେଉଥିବାରୁ ଭକ୍ତଙ୍କ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସିସିଟିଭି ମାଧ୍ୟମରେ ମୋବାଇଲ ବ୍ୟବହାର ଉପରେ କଡ଼ା ନଜର ରଖାଯିବ । ଭକ୍ତଙ୍କ ଯାନବାହନ ରଖିବା ପାଇଁ ଏକ ମଲ୍‌ଟି ଲେଭଲ ପାର୍କିଂ ବ୍ୟବସ୍ଥା କରିବାକୁ ମୁକେଶ ଆମ୍ବାନୀଙ୍କୁ ଅନୁରୋଧ କରାଯାଇଛି । ସେହିପରି ଜିନ୍ଦଲ କମ୍ପାନୀ ମାଧ୍ୟମରେ ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ଯକରଣ ଓ ଟଏଲେଟ୍‌ ପ୍ରତିଷ୍ଠା କରିବା କାର୍ଯ୍ଯ ଆରମ୍ଭ ହେବା ସମ୍ଭାବନା ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଜି ହୋଇଥିବା ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସ୍‌ପି ଓ ସେବାୟତ ଉପସ୍ଥିତ   ଥିଲେ ।