ଓଡ଼ିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି: ବାର୍‌ରୁ ଦୁଇ ଓ ଅନ୍ୟ ୨ ଜୁଡିସିଆଲ ଅଫିସର ମନୋନୀତ

କଟକ(କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି । ବାର୍‌ରୁ ଦୁଇଜଣ ଓ ଅନ୍ୟ ଦୁଇ ଜୁଡିସିଆଲ ଅଫିସର ମନୋନୀତ ହୋଇଛନ୍ତି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ । ସେହିପରି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ହାଇକୋର୍ଟ ବିଚାରପତି ହେବେ । ଏ ନେଇ ସୁପ୍ରିମକୋର୍ଟ କଲେଜିୟମ ବିଧିବଦ୍ଧ ପ୍ରସ୍ତାବ ଦେଇଛନ୍ତି ।

ଗତ ୧୬ ତାରିଖରେ ଆୟୋଜିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନିଷ୍ପତ୍ତି ନିଆଯାଇ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ପ୍ରସ୍ତାବ ରହିଛି । ସେହିଭଳି କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ସୋମେନ ସେନଙ୍କୁ ଓଡିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଛି । ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ସିଂଙ୍କୁ ଓଡିଶା ହାଇକୋର୍ଟକୁ ବଦଳି ସୁପାରିଶ କରାଯାଇଛି ।

ଏବେ ଓଡିଶା ହାଇକୋର୍ଟରେ ୧୩ ଜଣ ବିଚାରପତି ଥିବାବେଳେ ଅଦଳବଦଳ ପରେ ତାହା ୧୫ ରେ ପହଁଚିବ । ଏବେ ଆଉ ୪ ନୂଆ ବିଚାରପତିଙ୍କ ନିଯୁକ୍ତି ହେଉଥିବାରୁ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ ରେ ପହଁଚିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.