କେନ୍ଦୁଝର : ଜଳାଭିଷେକ କରିବାକୁ ଯାଇ କେଦାରନାଥରେ ଫସିଲେ ୪ ଓଡ଼ିଆ। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ୩ ଓ ସଦର ଅଞ୍ଚଳର ଜଣେ ସେଠାରେ ଫସି ରହିଛନ୍ତି । ଜୁଲାଇ ୨୭ରେ ରାଉରକେଲାରୁ ହରିଦ୍ୱାର ଯାଇଥିଲେ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ସହ ନଦୀରେ ଜଳସ୍ରୋତ ଅଧିକ ରହିଥିବାରୁ ସେମାନେ ଫସି ରହିଛନ୍ତି । ନିଖୋଜ କାଉଡିଆ ହେଲେ ତେଲକୋଇ ଶରୁଆଳି ଗାଁର କାର୍ତିକେଶ୍ୱର ଖିଲାର, ଜଗମୋହନପୁର ଗାଁର ସଦାନନ୍ଦ ସାହୁ, ଦୁବୁଲାପାଳ ଚନ୍ଦ୍ରଶେଖରପୁର ଗାଁର ମହେଶ୍ୱର ପ୍ରଧାନ ଓ କେନ୍ଦୁଝର ସଦର ବ୍ଲକ କେମ୍ପଷଢାର ଋଷିନାଥ ମହାନ୍ତ ।
ଏପଟେ ଫସି ରହିଥିବା ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି । କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ରୁଦ୍ରପ୍ରୟାଗର ଜିଲ୍ଲାପାଳଙ୍କ ସହିତ କଥା ହୋଇ ଚାରି ଜଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଅନୁରୋଧ କରିଛନ୍ତି । ପାଣିପାଗ ଅନୁକୁଳ ରହିଲେ ଆସନ୍ତାକାଲି ସମସ୍ତ ଚାରି ଜଣଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି ବୋଲି ରୁଦ୍ରପ୍ରୟାଗର ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।