କ୍ୟାନ୍ସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ୪ ବର୍ଷୀୟ ଶିଶୁ ମିଷ୍ଟି ପୁଟେଲ

ବଲାଙ୍ଗୀର(କେନ୍ୟୁଜ): କୁନି ଝିଅ ଏମିତି ମହତ କାମ କରିଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । କୁନି ଝିଅ ଜଣକ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରିଛି ନିଜ ଚୁଟି । ଛୋଟ ବେଳୁ ଲମ୍ବା କେଶ ରଖି ଖୁବ ଯତ୍ନ ନେଉଥିଲେ କୁନି ଝିଅର ମା’ । କିନ୍ତୁ କ୍ୟାନ୍ସର ରୋଗୀଙ୍କ ପାଇଁ ଚୁଟି ଆବଶ୍ୟକ ଜାଣିବା ପରେ ବାପା ମା’ ଝିଅର ଚୁଟି ଦାନ ପାଇଁ ଆଗେଇ ଆସିଥିଲେ । ବୟସରେ ସାନ କିନ୍ତୁ ଏମିତି ଦାନ କରିଛନ୍ତି ଯେ ସାରା ଅଞ୍ଚଳରେ ତାଙ୍କର ପ୍ରଶଂସା ହେଉଛି ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଜାନିପଡା ଗାଁର ରମାକାନ୍ତ ପୁଟେଲ ଓ ରିନା ପୁଟେଲଙ୍କ ୪ ବର୍ଷୀୟ ଝିଅ ମିଷ୍ଟି ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି । ମିଷ୍ଟି ନିଜର ଚୁଟିକୁ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରିଛନ୍ତି । ବିଭିନ୍ନ ସମୟରେ ଆମେ ଦେଖିବାକୁ ପାଉ ଲୋକେ ନିଜ ଶିଶୁମାନଙ୍କ ପାଇଁ ମାନସିକ ରଖି ଅନେକ ମନ୍ଦିରରେ ଚୁଟି ଦାନ କରିଥାନ୍ତି । ହେଲେ ମିଷ୍ଟି ପୁଟେଲ ତାଙ୍କ ଚୁଟିକୁ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରିଛନ୍ତି ।

କିଛି ଦିନ ପୂର୍ବରୁ ରମାକାନ୍ତ ପୁଟେଲଙ୍କ ଭାଇ ଓ କାକା ଗୁଲବଚନ୍ଦ୍ର ପୁଟେଲ କ୍ୟାନ୍ସର ରୋଗୀଙ୍କ ପାଇଁ ଏଭଳି ବ୍ୟବସ୍ଥା ଅଛି ବୋଲି ଜାଣିବାକୁ ପାଇଥିଲେ । ପରେ ପରିବାର ଲୋକେ ଟିଟିଲାଗଡର ଜଣେ ଡାକ୍ତର ଦେବବ୍ରତ ସାହୁଙ୍କୁ ଯୋଗାଯୋଗ କରି ମୁମ୍ବାଇର ମଦତ ଚାରିଟେବଲ ଟ୍ରଷ୍ଟକୁ ମିଷ୍ଟିଙ୍କ ୧୩ ଇଞ୍ଚର ଚୁଟିକୁ ଦାନ କରିଛନ୍ତି । ଏଭଳି କାର୍ଯ୍ୟ ଯୋଗୁଁ ମିଷ୍ଟିଙ୍କୁ ମଦତ ଚାରିଟେବଲ ଟ୍ରଷ୍ଟ ତରଫରୁ ଏକ ପ୍ରଶଂସା ପତ୍ର ମଧ୍ୟ ମିଳିଛି । ଏ ଖବର ଜାଣିବା ପରେ ମିଷ୍ଟିଙ୍କ ସହ ପରିବାର ଲୋକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିଜର ଚୁଟିକୁ ଏଭଳି କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମିଷ୍ଟି ।

ମିଷ୍ଟିଙ୍କ ଏହି ବଦାନ୍ୟତାରେ ବାପା ମା’ ବେଶ ଖୁସି ଅଛନ୍ତି । ମିଷ୍ଟି ଯେଉଁ କାମ କରିଛନ୍ତି ତାହା ଚିରଦିନ ପାଇଁ ମନେ ରହିବ । ମିଷ୍ଟି ଏବେ କଥା ବି ଠିକରେ କହି ପାରୁନାହାନ୍ତି କିନ୍ତୁ ଦାନର ମହତ୍ତ୍ୱ କଣ ସେ ଦୁନିଆକୁ ବୁଝାଇଛନ୍ତି । ସତରେ ମିଷ୍ଟିଙ୍କ ଭଳି ଯଦି ସମସ୍ତେ ମନୋଭାବ ଆଣିବେ ତେବେ ଅନେକ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like