୧ କୋଟି ଦାବିରେ ୪ ଯୁବକଙ୍କ ମୁଣ୍ଡଜାମିନ ଘଟଣା: କିଡନାପ ପଛରେ ଟଙ୍କା ନା ଗଞ୍ଜେଇ କାରବାର, କାରଣ ଖୋଜୁଛି ପୋଲିସ

ଗଞ୍ଜାମ: ଏକ କୋଟି ଟଙ୍କା ପାଇଁ ୪ଦିନ ଧରି ୪ ଯୁବକଙ୍କୁ ଅପହରଣ ଘଟଣାର ଖୋଲୁଛି ଗୁମର । ପଣବନ୍ଦୀଙ୍କ ମଧ୍ୟରେ ଦୁଇ ଜଣ କଟକର, ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଜଣେ ନୂଆଦିଲ୍ଲୀର ଯୁବକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଚିକିଟି କେ. ନୂଆଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କୁ ଚକିତ କରିଛି  । ନୂତନ ପାତ୍ର ନାମକ ବ୍ୟକ୍ତିଙ୍କପରିତ୍ୟକ୍ତ ଘରେ ଚାରି ଯୁବକଙ୍କୁ ରଖି ନାଗ ସାପ ଦେଖାଇ ଭୟଭୀତ କରାଯାଇଥିଲା  ।  ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାହାରକୁ ଆସି ପାଟି କରିବାରୁ ତାଙ୍କୁ କିଛି ଲୋକ ଅଟକାଇ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ପହଞ୍ଚି ଅପହୃତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ଘଟଣା ତଦନ୍ତ କରୁଛି । ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ନୂତନ ପାତ୍ର ଫେରାର ଅଛି ।

ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ସେଠାରେ ଗଞ୍ଜେଇ ଗଛ କଟାଯାଇଥିବା ଦେଖାଯାଇଛି  ।  କିଡନାପ ପଛରେ ଟଙ୍କା କାରବାର ନା ଗଞ୍ଜେଇ କାରବାର ଲିଙ୍କ ଖୋଜୁଛି ପୋଲିସ ।  ଘଟଣାରେ କେ. ନୂଆ ଗାଁ ଥାନା ଭୋଳାସିଙ୍ଗି ଗାଁର ପୃଥ୍ଵୀରାଜ ସାହୁ ନାମକ ଯୁବକଙ୍କୁ ଗିରଫ କରାଯାଇଛି ।  ଅପହରଣକାରୀ ଭୁବନେଶ୍ବରରୁ ଡାକିବା ପରେ ଏମାନେ ୪ଜଣ କାହିଁକି ଯାଇଥିଲେ? ଅପହୃତଙ୍କ ମଧ୍ୟରୁ କେହି ଅପହରଣକାରୀଙ୍କ ପରିଚୟ ଥିଲା କି?  ଏଭଳି ନାନା ଦିନରୁ ତଦନ୍ତ ଚଳାଇଛି ପୋଲିସ ।

 

ଆହୁରି ପଢନ୍ତୁ :  ସୀମା ଟପିଲା ନୃଶଂସତା, ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନାର ଭିଡିଓ ଭାଇରାଲ୍