ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଲୋକ ମାନଙ୍କୁ ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି ।

ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ କୁହାଯାଇଛି। ଟିକେ ଅବହେଳା ପୁଣି ବଡ ବିପଦ ଆଣିପାରେ।

ପୂଜା ପାଇଁ ବଜାରରେ ଭିଡ ବଢ଼ୁଛି। ଅନେକଙ୍କ ମୁହଁରେ ମାସ୍କ ନାହିଁ । କେଉଁ ଦୋକାନରେ କୋଭିଡ ଗାଇଡ ଲାଇନ ଠିକ୍‌ରେ ପାଳନ ହେଉନି। ଯିଏ ଯେମିତି ପାରିଲା ବୁଲିଲା, ଗହଳି କଲା । କରୋନାକୁ ସତେ ଯେମିତି ଆଉ କାହାର ଖାତିର ନାହିଁ । ଆଉ ଏହା ହିଁ ଆଗକୁ ମାରତ୍ମାକ ସାବ୍ୟସ୍ତ ହେବ । କାରଣ ପୁଣି ରାଜଧାନୀରେ ବଢିଲାଣି କରୋନା । ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୪୮ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣଙ୍କ ବୟସ ୧୮ ବର୍ଷରୁ କମ । ସେହିପରି ମୋଟ ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ କ୍ବାରାଣ୍ଟାଇନରୁ ଓ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏପଟେ ଆଜି ଠାରୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ କୋଭିଡ ଗାଇଡ ଲାଇନ କିଭଳି ଲୋକେ ପାଳନ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ହେବେ ଶହେ ବରିଷ୍ଠ ଅଧିକାରୀ। କୋଭିଡ ଗାଇଡ ଲାଇନ ମାନି ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.