ଦ୍ବିତୀୟ ଦିନରେ ଶପଥ ନେବେ ୪୫ ନବ ନିର୍ବାଚିତ ବିଧାୟକ, ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ); ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ଦ୍ବିତୀୟ ଦିନରେ ଶପଥ ନେବେ ଆଉ ନବ ନିର୍ବାଚିତ ୪୫ ବିଧାୟକ । ଦାଖଲ ହେବ ବାଚସ୍ପତି ପଦ ପାଇଁ ନାମାଙ୍କନ । ଆସନ୍ତାକାଲି ରହିଛି ବାଚସ୍ପତି ନିର୍ବାଚନ। ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ପଦ ପାଇଁ ବିଜେପି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିରୋଧୀ ଦଳ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିବେ କି ନାହିଁ ତାହା ଉପରେ ନଜର ରହିଛି ।

ଗତକାଲି ପ୍ରଥମ ଦିନରେ ୧୦୨ ବିଧାୟକ ଶପଥ ନେଇଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ। ଗୃହର ସଭ୍ୟ ଭାବେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଓ ପରେ ବିଧାୟକ ଶପଥ ନେଇଥିଲେ। ଚଳିତ ବିଧାନସଭାକୁ ରେକର୍ଡ ୮୨ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି।

ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସ୍ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରି ପାରିବେ। ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ କମିଶନର । ସୁରକ୍ଷା କାର୍ଯ୍ୟରେ ୭୫ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ନିୟୋଜିତ ରହିବେ । ଯଦିଓ ଏହି ସମୟରେ କୌଣସି ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା କି ଧାରଣା କି ବିକ୍ଷୋଭ ପ୍ରଦର୍ଶନ ହେବ ନାହିଁ, ତେବେ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୋଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି ।

Leave A Reply

Your email address will not be published.