ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ, ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ବର(କେନ୍ୟୁଜ୍):  ସୁରୁଖୁରରେ ଚାଲିଛି ବିଧାନସଭା ଅଧିବେଶନ ଚତୁର୍ଥ ଦିନ ପ୍ରଶ୍ନକାଳ। ପ୍ରଶ୍ନକାଳରେ ଆତ୍ମ ନିଯୁକ୍ତି ପାଇଁ ଋଣ ପ୍ରଦାନ ଉପରେ ଆଲୋଚନା କରାଯାଉଛି। ପଛୁଆ ବର୍ଗର ୭୮୮ଜଣଙ୍କୁ ତାଲିମ ଦିଆଯାଇଛି। ଏଥିପାଇଁ ୧,୩୨,୪୭,୬୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତରରେ କହିଛନ୍ତି। ସେପଟେ ଆଜି ଗୃହରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ବଜେଟ୍‌ । ଏଥର ବଜେଟ ଆକାର ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ହେବ । କୃଷିକୁ ବଜେଟ୍‌ରେ ଗୁରୁତ୍ୱ ମିଳିବା ସୁନିଶ୍ଚିତ। ତେଣୁ କାଳିଆ ଯୋଜନା ପାଇଁ ବଜେଟରେ ୬ ହଜାର କୋଟି ଟଙ୍କା ବ୍ୟୟବରାଦ ଅନୁମାନ କରାଯାଉଛି । ଜଳସେଚନକୁ ବି ମିଳିପାରେ ଗୁରୁତ୍ୱ। ଏହାସହ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅଧିକ ଫୋକସ କରିପାରନ୍ତି । ମହିଳା ସଶକ୍ତୀକରଣ ପାଇଁ ସୃଷ୍ଟି ହୋଇପାରେ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ। ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦର ମହକୁମାରେ ମିଶନ ଶକ୍ତି ଭବନ ନିର୍ମାଣ, ମହିଳା ଏସ୍‌ଏଚ୍‌ଜିଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଯୋଗାଇବାକୁ ଯୋଜନା ରହିଛି । ତେଣୁ ମିଶନ ଶକ୍ତିରେ ବଢିପାରେ ବ୍ୟୟ ବରାଦ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ବ୍ୟୟବରାଦ ହେବ ତା ଉପରେ ରହିଛି ନଜର । ନିର୍ବାଚନ ପୂର୍ବର ବଜେଟ୍‌ ଓ ନିର୍ବାଚନୀ ପ୍ରତିଶ୍ରୁତି ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି, ଚାଷୀ ଓ ସାମାଜିକ ସୁରକ୍ଷା ଦିଗରେ ଅଧିକ ଖର୍ଚ୍ଚ ହେବ । ଏହାଦ୍ୱାରା କ୍ୟାପିଟାଲ ଏକ୍ସପେଣ୍ଡିଚର କ୍ଷେତ୍ରରେ ସମ୍ବଳ ସୀମିତ ହୋଇଯିବ। ଯାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ତେଣୁ ଋଣ ଭାର ମଧ୍ୟ ବଢିବା ଆଶଙ୍କା ରହିଛି । ଆଗକୁ ପୌର ନିର୍ବାଚନ ଥିବାରୁ ବଜେଟରେ ସହରାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର ।

You might also like