ମହିଳାଙ୍କ ପାଇଁ ଖୁସି ଖବର: ଡିସେମ୍ବର ୨୫ ଅର୍ଥାତ ବଡ଼ ଦିନରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁଵନେଶ୍ଵର : ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିସେମ୍ବର ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ମହାନଗର ନିଗମ, ବ୍ଲକସ୍ତରରେ ତାଲିକା ପ୍ରକାଶ ପାଇବ । ପରବର୍ତ୍ତୀ ୭ ଦିନ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ ।  ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି ।  ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି ।  ଡିସେମ୍ବର ୧ ସୁଦ୍ଧା ୧ କୋଟି ୫ ଲକ୍ଷ ୩୬ ହଜାର ଆବେଦନ ଗ୍ରହଣ ହୋଇଛି ।

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି ।  ଯେଉଁ ସ୍ଥାନ ଗୁଡ଼ିକରେ କମ ପଞ୍ଚୀକରଣ ହୋଇଛି ସେହି ସ୍ଥାନକୁ ସରକାର ଫୋକସରେ ରଖିଛନ୍ତି। ଏହା ବ୍ୟତୀତ ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେହି ସ୍ଥାନଗୁଡ଼ିକରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି । ଜିଲ୍ଲାୱାରୀ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ ପଞ୍ଜୀକରଣ ଓ ଅଧିକ ଆବେଦନ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ ।

ସୂଚନା ଯୋଗ୍ୟ ସେପ୍ଟେମ୍ବର ୧୭ରେ ଭୁବନେଶ୍ବରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୯ରେ ବାରିପଦାରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ୫ ବର୍ଷ ପାଇଁ ପ୍ରଦାନ କରାଯିବ ।