ବୋଲେରୋରେ ବତୀ ଲଗାଇ ପୋଲିସକୁ ଭୂଆଁ ବୁଲାଇ ଲୁଟୁଥିଲେ, ୫ ବନ୍ଧା ହେଲେ

ଯାଜପୁର : ଚାଲାକ୍ ଡକାୟତ ଗ୍ୟାଙ୍ଗ । ପୋଲିସ ଚକମା ଦେଇ ଲୁଟୁଥିଲେ । ଦେଖିପାରୁଛନ୍ତି ଏହି ଆମ୍ବୁଲାନ୍ସଟିକୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଇଟା କୋଉ ଆମ୍ବୁଲାନ୍ସ ନୁହେଁ । ନା ଏଥିରେ କେହି ରୋଗୀ ହସ୍ପିଟାଲ ଯାଉଛନ୍ତି । ବୋଲେରୋରେ ବତୀ ଲଗାଇ ଆମ୍ବୁଲାନ୍ସ ଭାବେ ବ୍ୟବହାର କରି ପୋଲିସ ଆଖିରେ ଧୂଳି ଦେଉଥିଲେ ।

ହଁ ଆଜ୍ଞା, ଡକାୟତି ଯୋଜନା ପଣ୍ଡ କରିବା ସହ ୫ଜଣ ଡ଼କାୟତଙ୍କୁ ଗିରଫ କରାଯାଇଛି । ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହି ଡ଼କାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି । ଏଥିସହ ସେମାନଙ୍କ ନିକଟରୁ ଏକ ବୋଲେରୋ । ୨ଟି ପିକ ଅପ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି ସହ ବିଭିନ୍ନ ମାରଣାସ୍ତ୍ର ଓ ବହୁ ଚୋରି ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ।

ସବୁଠାରୁ ବଡ଼ କଥା ହେଲା ଡ଼କାୟତି କରିବା ପରେ ବୋଲେରୋରେ ବତୀ ଲଗାଇ ଆମ୍ବୁଲାନ୍ସ ଭାବେ ବ୍ୟବହାର କରି ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲେ । ଏଭଳି ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାଜପୁର ପୋଲିସ । ଆଜି ବାଲିଚନ୍ଦ୍ରପୁର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ ।

ଏହି ଥାନା ପତରାଜପୁର ନିକଟରେ ଥିବା ବିଦ୍ୟୁତ ଷ୍ଟକ ୟାର୍ଡ଼ରୁ ଏମାନେ ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଏମାନଙ୍କୁ ଗିରିଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୨୦ରୁ ଅଧିକ ଡ଼କାୟତି ମାମଲା ରହିଛି । ବିଶେଷ କରି ଏମାନେ ବିଦ୍ୟୁତ ପୋଲ, ଟ୍ରାନ୍ସଫର୍ମର, ବିଦ୍ୟୁତ ତାର, ଆଲୁମିନିୟମ ସାମଗ୍ରୀ ଆଦି ଚୋରି କରି ଅଭିନବ ଉପାୟରେ କବାଡିଖାନାରେ ବିକ୍ରି କରିଥାନ୍ତି । ଗିରଫ ଅଭିଯୁକ୍ତମାନେ କଟକ, ଖୋର୍ଦ୍ଧl, ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ।