୫ ନକଲି ମାଓବାଦୀ ଗିରଫ, ମାଓବାଦୀ ନାଁରେ ଟଙ୍କା ଆଦାୟ ଅଭିଯୋଗ
ମାଲକାନଗିରି : ୫ ନକଲି ମାଓବାଦୀ ଗିରଫ । ମାଓବାଦୀ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ବାଇଁ ସୂଚନା ଦେଇଛନ୍ତି। ଚିତ୍ରକୋଣ୍ଡା ଥାନା ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ବଡ଼ପଦର ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଆଉ ଦୁଇଜଣ ମାଲକାନଗିରିର ବୋଲି ଜଣାପଡ଼ିଛି । ଏହି ପାଞ୍ଚ ଜଣ ମିଶି ଲୋକଙ୍କ ଠାରୁ ମାଓବାଦୀ ନାଁରେ ଟଙ୍କା ଆଦାୟ, ଶୋଷଣ ଓ ପ୍ରଜାକୋର୍ଟରେ ଜୀବନରେ ମାରିଦେବାକୁ ଧମକ ଦେଇ ଭୟଭୀତ କରିଥିଲେ। ନାୟବ ସରପଞ୍ଚ ଓ ଜଣେ ସାମ୍ବାଦିକଙ୍କୁ ପ୍ରଜାକୋର୍ଟରେ ଡାକି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେମାନଙ୍କ ଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଜବତ କରିଛି ପୋଲିସ ।