ଜ୍ୟାକ୍ ଲାଗିଲା ଘର ଉଠିଲା, ଭୂମିଠାରୁ ୫ ଫୁଟ ଉପରକୁ ଉଠିବ ଘର 

ଜଗତସିଂହପୁର(କେନ୍ୟୁଜ୍): ଅଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠୁଛି ଘର। ଉତ୍ସହାର ସହ ଘର ଉଠୁଥିବା କାମକୁ ଦେଖୁଛନ୍ତି ଗାଁଲୋକେ । କଟକ, ଭୁବନେଶ୍ବର ଓ ଭଦ୍ରକ ପରେ ଏବେ ଜଗତସିଂହପୁର ଜ଼ିଲ୍ଲାରେ ପ୍ରଥମ ଥର ପାଇଁ କୋଠା ଘରକୁ ଭୂମିରୁ ୫ ଫୁଟ ଉପରକୁ ଉଠାଯାଉଛି। ରାସ୍ତାର ନୀଚରେ ରହିଥିବା ଘରକୁ ଭାଙ୍ଗି ପୁନଶ୍ଚ ତିଆରି କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏଭଳି ଜ୍ଞାନ କୌଶଳ ଏବେ ଲୋକପ୍ରିୟ ହୋଇପାରିଛି।

ଅଳ୍ପ ଖର୍ଚ୍ଚରେ ଘରକୁ ଉପରକୁ ଉଠାଉଛନ୍ତି ଛତିଶଗଡ଼ରୁ ଆସିଥିବା ସ୍ବତନ୍ତ୍ର ଇଂଜିନିୟରିଂ ଟିମ୍। ଯାହାଦ୍ୱାରା ଲୋକମାନେ ଉପକୃତ ହେଉଛନ୍ତି। ଏଭଳି ଏକ ଘର ଉଠା ଯାଉଛି ଜଗତସିଂହପୁର ସଦର ମାର୍କଣ୍ଡପୁର ଗ୍ରାମର ବ୍ଯବସାୟୀ ହୃଷିକେଶ ବେହେରାଙ୍କ ଘର। ଚଳିତ ବର୍ଷ ଲଗାଣ ବର୍ଷାରେ ଘରେ ପାଣି ପଶି ସବୁ ବ୍ଯବସାୟ ଜିନିଷ ନଷ୍ଟ ହୋଇଯାଇଥିଲା। ସେ କଣ କରିବେ କିଛି ଚିନ୍ତା କରି ପାରି ନଥିଲେ। ଏହି ସମୟରେ ତାଙ୍କୁ ଜଣେ ଘର ଉଠିପାରିବା ବିଷୟରେ ସୂଚନା ଦେଇଥିଲେ। ଏହାପରେ ସେ ଯୋଗାଯୋଗ କରିଥିଲେ ଚଣ୍ଡୀଗଡ଼ର ଯମୁନାନଗରର TDBD ଇଂଜିନିୟରିଂ ୱାର୍କ୍ସ ପ୍ରାଇଭେଟ ଲିମିଟେଡ଼ର ଇଞ୍ଜିନିୟର ମାନଙ୍କ ସହିତ।

ସେହି ସଂସ୍ଥାର ଇଂଜିନିୟର ଓ କର୍ମଚାରୀମାନେ ଆସି ଘରକୁ ମାପି ଥିଲେ ଓ କାମ କରିବା ପାଇଁ ରାଜି ହୋଇଥିଲେ। ପ୍ରଥମେ ୨୩୦ ଟଙ୍କା ସ୍କୋୟାର ଫୁଟ ହିସାବରେ ତିନିଫୁଟ ଉଠାଇବେ  ଓ ଏହା ପରେ ଅଧିକା ଉଠାଇବା ପାଇଁ  ସ୍କୋୟାର ଫୁଟ ୬୦ ଟଙ୍କା ଲେଖା ଅଧିକ ଦେବାକୁ ପଡିବ ବୋଲି ସଂସ୍ଥାର ଇଂଜିନିୟରମାନେ ଏଷ୍ଟିମେଟ କରିଥିଲେ। ସେହିପରି ହୃଷିକେଶ ବେହେରାଙ୍କ ଘର ୩୨୦୦ସ୍କୋୟାର ଫୁଟକୁ ୮ଲକ୍ଷ ଟଙ୍କା ନେବା ପାଇଁ ଚୁକ୍ତି ହେବା ପରେ ଏବେ କାମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏକ ଫୁଟ ଘର ଉଠି ସାରିଲାଣି । ୩୦୦ ଜଗ ,ଲୁହା ଆଙ୍ଗେଲ ସାହାଯ୍ଯରେ ଏହିକାମକୁ ଦଶଜଣ କରିଗର କରୁଛନ୍ତି ଓ ଘର ଉଠିବା ସମୟରେ ୩୦ ଜଣ ଆସି କାମ କରୁଛନ୍ତି । ଦୁଇଜଣ ଇଂଜିନିୟର ଏହାକୁ ତଦାରଖ କରୁଛନ୍ତି। ଏହି କାମକୁ ଗ୍ରାମବାସୀ ମାନେ ଉତ୍ସହା ସହକାରେ ଦେଖୁ ଥିବା ବେଳେ ଏହାକୁ  ପାଖ ଗ୍ରାମର ଲୋକମାନେ ଦେଖିବାକୁ ଆସୁଛନ୍ତି ।

ଘର ମାଲିକ ମଧ୍ୟ ବେଶ ଖୁସି ଅଛନ୍ତି। ଏହି କାମ ଆଗରୁ ଭଦ୍ରକ ,କଟକ, ଭୁବନେଶ୍ୱରରେ ଏହି କମ୍ପାନୀ କାମ କରିସାରିଛି। ବର୍ତ୍ତମାନ ଏହି କାମକୁ ପ୍ରଥମ ଥର ପାଇଁ ଜଗତସିଂହପୁରରେ ଆରମ୍ଭ କରିଛି ଏହି ଇଂଜିନିୟରିଂ ସଂସ୍ଥା। ତେଣୁ ଜ଼ିଲ୍ଲା ବାସୀଙ୍କ ପାଇଁ ଏହା ଖୁସିର ଖବର। ଯେଉଁମାନଙ୍କ ଘର ରାସ୍ତା ତଳକୁ ରହି ଯାଇଥିବ ସେମାନେ ଘରକୁ ଭାଙ୍ଗି ନୂତନ ଘର ନକରି ଏହିଁ  ଉପାୟରେ ନିଜ ଘରକୁ ସୁରକ୍ଷିତ ରଖି ପାରିବେ। ଅଳ୍ପ ଖର୍ଚ୍ଚରେ ବିଜ୍ଞାନର ଚମତ୍କାରିତାକୁ ସମସ୍ତେ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.