ଏମିତି ସେମିତି ନୁହେଁ ଛେଳି ଚୋରିର ବି ଥିଲା ଗ୍ୟାଙ୍ଗ୍, ୫ ଗିରଫ

ଯାଜପୁର (କେନ୍ୟୁଜ): ଅଭିନବ ଉପାୟରେ ଛେଳି ଚୋରି କରୁଥିଲେ । ଚୋରି ଛେଳିଗୁଡିକୁ ଗୋଟିଏ ଜାଗାରେ ରଖି ଚଢା ଦରରେ ବିକ୍ରି କରି ବେଶ ଲାଭବାନ ହେଉଥିଲେ । ଛେଳି ଚୋରି ହେବା ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଏକ ରାକେଟକୁ ଠାବ କରିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗତ ୧୫ତାରିଖ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମର ବୀରକିଶୋର ବେହେରାଙ୍କ ଗୁହାଳରୁ ୪ଟି ଛେଳି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ସ୍ଥାନୀୟ ଜଳେଶ୍ୱରପୁର ଗ୍ରାମର ନାଲୁଆ ନାୟକକୁ ଗିରଫ କରିଥିଲା । ସେ ବିଭିନ୍ନ ସ୍ଥାନରୁ ଛେଳି ଚୋରି କରି ଓଡଙ୍ଗ ଗ୍ରାମର ଦିଲୀପ ମଲିକଙ୍କ ଘରେ ନେଇ ରଖୁଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ପୋଲିସ ଚଢାଉ କରି ୧୬ଟି ଛେଳି ଜବତ କରିବା ସହ ନାଲୁଆ ଓ ଦିଲୀପଙ୍କ ସମେତ ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏପଟେ ଉଦ୍ଧାର ଛେଳିଗୁଡିକୁ ଉପଯୁକ୍ତ ପ୍ରମାଣ ଦେଇ ସେମାନଙ୍କ ମାଲିକକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.