ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି l ଗୁରୁତରମାନେ ହେଲେ ଧରାକୋଟ ଗ୍ରାମର ସନ୍ତୋଷ ପତି, ମହୁଲପଲ୍ଲୀ ଗ୍ରାମର ଅଟୋ ଚାଳକ କନିଷ୍ଠ ନାୟକ ଓ ରୁଗୁମୁ ଗ୍ରାମର ସଞ୍ଜୁ ନାୟକ ହୋଇଥିବା ବେଳେ ଆହାତ ରଗୁମୁ ଗ୍ରାମର ସୁଦାମ ନାୟକ, ଜୟନ୍ତୀ ନାୟକ ହୋଇଥିବା ଜଣାପଡିଛି l
ସୂଚନା ମୁତାବକ ସଦାମ, ସଞ୍ଜୁ ଓ ଜୟନ୍ତୀ ସୋରଡ଼ାରୁ ନିଜ ଗ୍ରାମ ଅଭିମୁଖେ ଅଟୋରେ ଆସିବା ସମୟରେ ରାସ୍ତାରୁ ସନ୍ତୋଷ ଧରାକୋଟ ଯିବା ଲାଗି ଅଟୋରେ ଚଢ଼ିଥିବା ବେଳେ ଜାନିବିଲି ଗ୍ରାମ ନିକଟରେ ଅଟୋ ଚାଳକଙ୍କୁ ଫ୍ରିଟ୍ସ ମାରିଥିଲା l ଫଳରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ଉପରେ ଓଲଟି ପଡିଥିଲା l ସ୍ଥାନୀୟ ଲୋକେ ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଏଠାରେ ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l