ଡୁଙ୍ଗୁରିପାଲି ସହରରେ ବଡ଼ ଧରଣର ଲୁଟ, ବନ୍ଧୁକ ମୁନରେ ଲୁଟିଲେ ୫ ଲକ୍ଷ

ବିନିକା (କେନ୍ୟୁଜ): ବେଧଡ଼କ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ । ନା ଏ ଲୁଟେରାଙ୍କ ପୋଲିସର ଭୟ ଅଛି ନା ଏମାନଙ୍କର ଆଇନ କାନୁନକୁ ଭୟ ଅଛି । ମନ ଇଚ୍ଛା ଲୁଟ କରି ଫେରାର ମାରୁଛନ୍ତି ଦୁବୁର୍ତ୍ତ । ସମାନ ଭାବେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ହୋଇଛି ବଡ଼ ଧରଣର ଲୁଟ । ଦିନ ଦ୍ୱିପ୍ରହରରେ ୫ ଲକ୍ଷ ଲୁଟ ହୋଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି । ଡୁଙ୍ଗୁରିପାଲି ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶ୍ଵସତ କୁମାର ପାଣିଗ୍ରାହୀ ୫ ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇ କ୍ୟାସିଅର ଓ ସିକ୍ୟୁରିଟି ଗାର୍ଡ଼କୁ ଡୁଙ୍ଗୁରିପାଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଟଙ୍କା ଆଣିବାକୁ ପଠାଇଇଥିଲେ ।

ଚେକ୍‌ ନେଇ ଗୋପାଳ ସାହୁ ଏବଂ ସିକ୍ୟୁରିଟିଗାର୍ଡ ତପନ କର୍ଣ୍ଣ ଏକ ବାଇକରେ ବ୍ୟାଙ୍କକୁ ଯାଇଥିଲେ । ମଧ୍ୟାହ୍ନ ସମୟରେ ଏକ ବ୍ୟାଗରେ ଟଙ୍କା ଧରି ବାଇକରେ ଫେରୁଥିବା ସମୟରେ ହୋଇଥିଲେ ଲୁଟର ଶିକାର । କ୍ୟାସିଅର ଗାଡ଼ି ଚଳାଉଥିବା ବେଳେ ସିକ୍ୟୁରିଟିଗାର୍ଡ ପଛ ପଟେ ବସି ଟଙ୍କା ବ୍ୟାଗ ଧରିଥିଲେ । କିନ୍ତୁ ହଠାତ୍‌ ବିଡିସିସି ବ୍ୟାଙ୍କ ପାଖରେ ପଛ ପଟରୁ ଏକ କଳା ରଙ୍ଗର ବାଇକରେ ତିନି ଜଣ ଯୁବକ ଆସି ପଛ ପଟରୁ ବାଇକ୍ କୁ ଗୋଇଠା ମାରିଥିଲେ । କ୍ୟାସିଅର ଚଳାଉଥିବା ବାଇକ୍ ଟି ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା । ଏହି ସମୟରେ ବାଇକ୍ ସାମନାକୁ ଆସିଥିଲେ ତିନିଜଣ ଯୁବକ । ଉକ୍ତ ଯୁବକମାନେ ବନ୍ଧୁକ ଦେଖାଇ କ୍ୟାସିଅର ଓ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଟଙ୍କା ବ୍ୟାଗ ନେବାକୁ ଉଦ୍ୟମ କରିଥିଲେ। ଟଙ୍କା ନଦେଲେ ଗୁଳି ମାରିବାକୁ ଧମକ ଦେଇଥିଲେ ଦୁବୃର୍ତ୍ତ । ଭୟରେ ସେମାନେ ଟଙ୍କା ବ୍ୟାଗ୍‌ ଦୁବୁର୍ତ୍ତଙ୍କୁ ଦେଇଥିଲେ । ଟଙ୍କା ବ୍ୟାଗ୍‌ ଧରି ଦୁବୁର୍ତ୍ତମାନେ ସହର ଭିତରେ ପଶି ଗାୟବ ହୋଇଯାଇଥିଲେ । ସହରର ବିଭିନ୍ନ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ସେମାନଙ୍କର ବୟସ ୨୫ ବର୍ଷ ପାଖାପାଖି ହେବ। ଲିଖିତ ଅଭିଯୋଗ ପାଇବା ପରେ ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l

ପ୍ରତ୍ୟେକ ଦିନ ଏମିତି ଲୁଟର ଖବର ସାମ୍ନାକୁ ଆସୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଲୁଟର ଶିକାର ହେବାରୁ ନିଜକୁ ବଞ୍ଚାଇ ପାରୁ ନାହାନ୍ତି । ଏ ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଲୁଟୁଛନ୍ତି । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ବେଧଡ଼କ ଭାବେ ଲୁଟ କରନ୍ତି ଏ ଲୁଟେରା । ତେବେ ଆପଣ ଯଦି ଏଭଳି ଲୁଟରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଏଭଳି ଟଙ୍କା ନେଇ ରାସ୍ତାରେ ଯାଉଥିବା ବେଳେ ସର୍ବଦା ଧ୍ୟାନର ସହ ଯାଆନ୍ତୁ । ନଚେତ ଆପଣ ଏଭଳି ଲୁଟର ଶିକାର ହେବେ ।