ସୁନା ସଫା କରିବା ବାହାନାରେ ଲୁଟିନେଲେ ୫ ଲକ୍ଷର ସୁନା, CCTV ରେ କଏଦ ହେଲା ଠକେଇର ଦୃଶ୍ୟ

କେନ୍ଦ୍ରାପଡା: ସାବଧାନ୍ । ଗାଁ ଗାଁରେ ବୁଲୁଛନ୍ତି ଚାଲାକ୍ ଲୁଟେରା । ଦିନ ଦ୍ୱିପହରରେ ବୋକା ବନାଇ ଲୁଟିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା । ସେ ପୁଣି ଜୋର ଜବରଦସ୍ତ ଛଡ଼ାଇ କି ଗେଟ୍ ତାଲା ଭାଙ୍ଗି ନୁହେଁ ଆଜ୍ଞା, କଥାରେ କଥାରେ ଅତି ସୁନ୍ଦର ଭାବରେ ଚାଲକି କରି ଲୁଟି ନେଉଛନ୍ତି । ଠିକ୍ ଯେମିତି ଏଇ ପରିବାର ଶିକାର ହୋଇଛନ୍ତି ସେହି ଚାଲାକ୍ ଚୋରଙ୍କର । ସୁନା ସଫା କରିବା ନାଁରେ ବଡ଼ ଠକେଇ । ହଁ ଆଜ୍ଞା ଶାଶୁ, ବୋହୁ ଓ ଶଶୁରଙ୍କୁ ବୋକା ବନାଇ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠକିନେଲେ ନେଲେ ଦୁଇ ଠକ ।
ଏଭଳି ଅଭିନବ ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନପୁର ଗାଁର ସେକ ମୁରତେଜାଙ୍କ ପରିବାର ଲୋକେ । ଏନେଇ ଆଳି ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଠକେଇ ସମୟର ସମସ୍ତ ଦୃଶ୍ୟ CCTV ରେ କଏଦ ହୋଇଛି । ଆଜି ଦୁଇଜଣ ଠକ ବଣିଆର ପରିଚୟ ଦେଇ ସୁନା ସଫା କରିବା ପାଇଁ ସେକ ମୁରତେଜାଙ୍କ ଘରେ ପହଞ୍ଚିଥିଲେ । ଆମେ ଏକ କମ୍ପାନୀରୁ ସୁନା ସଫା କରିବା ପାଇଁ ଆସିଛୁ ବୋଲି ତାଙ୍କ ବୋହୁ ଓ ସ୍ତ୍ରୀକୁ କହିଥିଲେ ।
ସେମାନେ ସୁନା ସଫାକରିବା ପାଇଁ ଘରୁ ହାର, କାନଫୁଲ, ମୁଦି, ଚୁଡ଼ି ଆଦି ଅଳଙ୍କାର ଦେଇଥିଲେ । ଦୁଇ ଠକ ଏକ ପାତ୍ରରେ ପାଣି ଓ ହଳଦୀ ପକାଇ ନିଆଁରେ ବସାଇ ଘୋଡାଇ ଦେଇଥିଲେ । ୫ ମିନିଟ ପରେ ଖୋଲିବ କହି ଦୁଇ ଠକ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ଦେଖିବା ବେଳକୁ ସେହିପାତ୍ରରେ ସୁନା ଅଳଙ୍କାର ଆଉ ନଥିଲା । ପରିବାର ଲୋକେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଦୁଇଜଣ ଠକଙ୍କୁ ଖୋଜା ଖୋଜି କରିଥିଲେ କିନ୍ତୁ ଦୁଇ ଠକ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ।
ଶେଷରେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ତେବେ ଏନେଇ ପୋଲିସର କୌଣସି ପତିକ୍ରିୟା ମିଳିପାରିନାହିଁ । ଦର୍ଶକ ବନ୍ଧୁ ଆଜିକାଲି ଏଭଳି ଚତୁର ଲୁଟେରା ଚାରିଆଡ଼େ ବୁଲୁଛନ୍ତି । ଘରେ କେହି ନଥିବା ବେଳେ ଏବଂ ଏଭଳି ମହିଳା କିମ୍ବା ବୟସ୍କ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଅତି ସୁନ୍ଦର ସୁନ୍ଦର କଥା କହି ବିଶ୍ୱାସ ଜିତିବା ପରେ ଘର ଘର ବୁଲି ଲୁଟି ନେଉଛନ୍ତି । ତେଣୁ ଏମାନଙ୍କ ମଗଣା କଥା ତଥା ମିଛ ପ୍ରଲୋଭନରେ ଆଦୌ ପଡନ୍ତୁ ନାହିଁ । ନହେଲେ ଏହି ଶାଶୁ ବୋହୁଙ୍କ ଭଳି ଠକାମିର ଶିକାର ହେବେ ।