ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ୍, ୫ଗିରଫ

୫ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୋଳ ପୋଲିସ୍ । ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଅନୁଗୋଳ ସପ୍ତାହିକ ହାଟରେ ସଂଗଠିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଥିଲା ପୋଲିସ୍ ।

ଅନୁଗୋଳ(କେନ୍ୟୁଜ): ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ଉତ୍ପାତ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା ମାନେ। ନୂଆ ନୂଆ କୌଶଳ ଆପଣାଉଛନ୍ତି ଆଉ ଲୁଟ୍ କରି ଚମ୍ପଟ ମାରୁଛନ୍ତି । ଦିନରେ ସବୁ ଆଡ ବୁଲି ରଖୁଛନ୍ତି ନଜର । ଆଉ ରାତି ହେଲେ ଲୁଟ୍‌ ପାଇଁ କରୁଛନ୍ତି ଯୋଜନା ।

ତେବେ ଏମିତି ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ପୋଲିସ୍ । ୫ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଅନୁଗୋଳ ସପ୍ତାହିକ ହାଟରେ ସଂଗଠିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଥିଲା ପୋଲିସ୍ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ, ପିଙ୍କୁ ବେହେରା(୨୯) ଓ ବବୁଲ ବେହେରା(୨୭), ଅଭୟ କୁମାର ସାହୁ(୨୯), ବଗା ସାହୁ (୨୫), ବଳରାମ ବେହେରା (୨୪) । ସେମାନଙ୍କଠାରୁ ହାତ ତିଆରି ବୋମା ଜବତ କରାଯାଇଛି । ବିଳମ୍ବିତ ରାତିରେ ଲୁଟପାଟ୍ କରି ଆତଙ୍କ ଖେଳାଇଥିବା ଏହି ଲୁଟେରା ଗ୍ୟାଙ୍ଗ୍ କୁ କାବୁ କରିଛି ଟାଉନ୍ ଥାନା ପୋଲିସ୍ ।

ତେବେ ପୋଲିସ୍ ସେମାନଙ୍କଠାରୁ ପ୍ରାୟ ୫ଟି ହାତ ତିଆରି ବୋମା, ଗୋଟିଏ ଲଙ୍କାଗୁଣ୍ଡ ପ୍ୟାକେଟ୍, ଗୋଟିଏ ଭୁଜାଲି, ୨ଟି କଟୁରୀ, ୩ଟି ଲୁହାଛଡ଼, ଗୋଟିଏ ବଲେରୋ ସହିତ ୬ଟି ମୋବାଇଲ୍ ଫୋନ୍ ଓ ୧ ଲକ୍ଷ ୫୧ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଗିରଫ ପରେ ୫ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି ।