ମାଲକାନଗିରି କାଲିମେଳାରେ ପୋଲିସ-ମାଓବାଦୀ ମୁହାଁମୁହିଁ, ୫ ମାଓବାଦୀ ନିହତ

ମାଲକାନଗିରି(କେନ୍ଯୁଜ୍) : ଲାଲ୍ବାହିନୀକୁ ବଡ ଝଟ୍କା। ମାଲକାନଗିରି କାଲିମେଳାରେ ଟଳିପଡିଲେ ୫ ମାଓବାଦୀ । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । କାଲିମେଳା ବେଜିଙ୍ଗଓ୍ଵାଡା ଜଙ୍ଗଲରେ ଗୁଳି ବିନିମୟ ହେଉଛି । କାଲିମେଳା ଦଲମ୍ର ମାଓନେତା ରଣଦେବ ଟିମ୍ ସହ ଗୁଳିବିନିମୟ ଚାଲିଛି । ୨ଟି ଏସ୍ଓଜି ଟିମ୍ ଗୁଳିବିନିମୟରେ ସାମିଲ ହୋଇଛନ୍ତି । ଏଥିରେ କାଲିମେଳା ଦଳମ୍ର ମୁଖ୍ୟ ରଣଦେବ ଆହତ ହୋଇଥିବା ସୂଚନା ମିଳିଛି। ଆହତ ରଣଦେବଙ୍କୁ ଖୋଜୁଛି ଏସ୍ଓଜି ଟିମ୍। ମୃତକଙ୍କ ମଧ୍ୟରେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଥ୍ରୀ ନଟ୍ ଥ୍ରୀ ରାଇଫଲ, ଏସ୍ଏଲ୍ଆର ଓ ଇନ୍ସାସ୍ ଜବତ ହୋଇଛି । ଏଡିଜି ଅପରେସନ୍ ଆର. ପି. କୋଚେ ଏନେଇ ସୂଚନା ଦେଇଛନ୍ତି ।
ଅପରପଟେ ତିନି ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ଅପରେସନ୍ । ମାଓ ଅପରେସନ୍କୁ ଆହୁରି ବ୍ୟାପକ କରାଯାଉଛି । ଏନେଇ ସୂଚନା ଦେଇ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ସୀମାନ୍ତରେ ସଂପୂର୍ଣ୍ଣ ଭାବେ ନକ୍ସଲ କାର୍ୟ୍ୟକଳାପକୁ ଦମନ କରାଯିବ । ଗତକାଲି ରାତିରୁ ଅପରେସନ୍ ଆରମ୍ଭ ହୋଇଛି । ୫ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଜଙ୍ଗଲ ମଧ୍ୟରେ ଜଣେ ଦୁଇ ଜଣ ମାଓବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଏଥିପାଇଁ ଗୁଳିବିନିମୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଓଡ଼ିଶା ପୋଲିସର ଏହା ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି ।