ଆଉ ଶୁଭିବନି ମୋ ଝିଅର କୁଆଁ କୁଆଁ କାନ୍ଦ, ଡାକ୍ତରଙ୍କ ଅବହେଳା ନେଇଗଲା ଜୀବନ!

ଉଦଳା: ଘରେ ଝିଅଟିଏ ଜନ୍ମ ହୋଇଥିଲା । ଖୁସି ଆକାଶ ଛୁଇଁଥିଲା । ଏଇତ ଦୁନିଆକୁ ଆସିବାର ମାତ୍ର ୫ମାସ ହେଇଥିଲା । ତା କୁଆଁ କୁଆଁ କାନ୍ଦ ଶବ୍ଦରେ ଘର ଯେମିତି ପୁରି ଉଠୁଥିଲା । ଭାରି ଗେଲବସରିଆ ଥିଲା ସାରା ପରିବାରର । ହେଲେ ଆଜି କଣ ହେଇଛି କେଜାଣି ସେ ନିରବି ଯାଇଛି । ଶୁଭୁନି ତା କୁଆଁ କୁଆଁ କାନ୍ଦ। ଖାଇବା ପାଇଁ ଅଝଟ ହେଉନି କି, ମୁରୁକେଇ ମୁରୁକେଇ କୁନି ଓଠରେ ଆଉ ହସୁନି । ସବୁ ହସ ଖୁସି ଯେମିତି ନିମିଷକରେ ଫିକା ପଡିଯାଇଛି । କଣ ହେଇଛି ? ଏମିତି କାହିଁକି ତାକୁ ଖରାଟାରେ ଘୋଡେଇକି ଶୁଆଇ ଦେଇଛନ୍ତି । ଆଉ ପାଖରେ ବସିଥିବା ମାଆ ଯେମିତି ସ୍ଥାଣୁ ପାଲଟିଯାଇଛି । ଘଟଣା କଣ ? ଯାହା ପରିସ୍ଥିତି କହୁଛି କିଛି ଗୋଟେ ଅଘଟଣ ଘଟିଯାଇଛି ।

ହଁ ଆପଣ ଯାହା ଭାବୁଛନ୍ତି ପୁରା ସତ । ସବୁ ଦିନ ପାଇଁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଗଲା କୁନି ଝିଅ । ଆଉ କେବେବି ଶୁଭିବିନ ନା କୁଆଁ କୁଆଁ କାନ୍ଦ ଶବ୍ଦ ।କୁଆଡେ ତା ଦେହ ଅସୁସ୍ଥ ହୋଇପଡିଥିଲା । ଘର ଲୋକ ରାତିରେ ଡାକ୍ତରଖାନା ନେଇ ଆସିଥିଲେ । ହେଲେ ଡାକ୍ତରଖାନାରେ ମିଳିପାରିଲା ନାହିଁ ଉପଯୁକ୍ତ ଚିକିତ୍ସା । ଯାହାଫଳରେ ଚାଲିଗଲା ୫ ମାସ ଶିଶୁକନ୍ୟାର ଜୀବନ ।

ଏଭଳି ଅବହେଳା ପ୍ରତିବାଦ କରି ମେଡିକାଲ ସମ୍ମୁଖରେ ଶିଶୁଟିର ମୃତଦେହ ଧରି ଧାରଣାରେ ବସିଛନ୍ତି ପରିବାର ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଉଦଳା ମେଡିକାଲ ପରିସରରେ। କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଶିଶୁକନ୍ୟାକୁ ଗତକାଲି ଗ୍ରାମର ଆଶା ଦିଦି ଆସି ଟିକା ଦେଇଥିଲେ । ଟିକା ନେବାର କିଛି ଘଣ୍ଟା ପରେ ଶରୀର ଅସୁସ୍ଥ ହେବା ଆରମ୍ଭ ହୋଇଥିଲା । ଥଣ୍ଡା ସାଙ୍ଗକୁ ଜ୍ୱର ହୋଇଥିଲା ।

ତେବେ ବିଳମ୍ବିତ ରାତିରେ ଶିଶୁକନ୍ୟାର ଶରୀର ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲ ଆଣିଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ପଠାଇଥିଲେ ଡାକ୍ତର । ହେଲେ ଦୀର୍ଘ ସମୟ ମେଡ଼ିସିନ ୱାର୍ଡରେ ରହିଥିଲେ ସୁଦ୍ଧା କୌଣସି ନର୍ସ କିମ୍ବା ଡାକ୍ତରଙ୍କର ଦେଖା ମିଳିନଥିଲା । ଯାହାଫଳରେ କିଛି ଉପାୟ ନପାଇ ସେଠାରେ ଛୁଆକୁ ଧରି ଜଗି ରହିଥିଲେ ପରିବାର ଲୋକେ । କିନ୍ତୁ ବିଳମ୍ବରେ ନର୍ସ ଆସି ପହଁଚିବା ବେବେଳକୁ ସବୁକିଛି ସରିସାରିଥିଲା । ଶିଶୁକନ୍ୟାର ମୃତ୍ୟୁ ହୋଇସାରିଥିଲା । ଯାହାକୁ ନେଇ ଆଜି ସକାଳୁ ପରିବାର ଲୋକେ ମୃତଦେହ ଧରି ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏପଟେ ଡାକ୍ତରଖାନା କର୍ତୃପକ୍ଷଙ୍କର ବି ପ୍ରତିକ୍ରିୟା ମିଳିଛି, କଣ କହୁଛନ୍ତି ଶୁଣନ୍ତୁ ।

କଥାରେ କୁହନ୍ତି ଭଗବାନଙ୍କ ଅନ୍ୟ ନାମ ହେଉଛି ଡାକ୍ତର । ଡାକ୍ତରଙ୍କ ପାଇଁ ଆମେ ଏକ ନୂଆ ଜୀବନ ପାଇଥାଉ । ତେଣୁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିଥାଉ । ହଜାର ହଜାର ରୋଗୀ ଡାକ୍ତରଙ୍କ ଦ୍ୱାରା ଭଲ ହୋଇ ନୂଆ ଜୀବନ ପାଇଥାନ୍ତି । ହେଲେ ଏଠାରେ କିନ୍ତୁ ଡାକ୍ତରଙ୍କୁ ନେଇ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ନିଜ କୁନି ଝିଅକୁ ଧରି ଡାକ୍ତରଙ୍କ ନିକଟକୁ ଧାଇଁ ଆସିଥିଲେ ଏଇ ବାପା ମାଆ । ଝିଅକୁ ଭଲ କରି ଘରକୁ ଫେରାଇ ନେଇଥାନ୍ତେ, ହେଲେ ଭାଗ୍ୟର ବିଡମ୍ବନା ଝିଅ ଆଉ ଫେରିଲାନି ଘରକୁ । ସବୁଦିନ ପାଇଁ ଚାଲିଗଲା ଅଫେରା ରାଇଜକୁ । ତେବେ ସତରେ କଣ ଡାକ୍ତରଙ୍କ ଅବହେଳା ପାଇଁ ସବୁଦିନ ପାଇଁ ଚାଲିଗଲା ଶିଶୁଟିର ଜୀବନ? ଏ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ଜଣାପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like