ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର, ଆଜି ଆସିବେ ଆଉ ୨୦

ୟୁକ୍ରେନରୁ ଫେରିଲେ ୫ ଓଡ଼ିଆ ଛାତ୍ର । ଦିଲ୍ଲୀରେ ଆସି ପହଂଚିଲେ ୫ ଓଡ଼ିଆ ଛାତ୍ର । ଆଜି ଆଉ ୨୦ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀରେ ପହଁଚିବେ । ଏନେଇ ଓଡ଼ିଶା ଭବନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ଦୁଇଟି ସ୍ୱତନ୍ତ୍ର ବିମାନ ପୋଲାଣ୍ଡରୁ ବାହାରିଛି । ଗୋଟିଏ ବିମାନରେ ୨୧୮ ଓ ଅନ୍ୟଟିରେ ୨୧୯ ଯାତ୍ରୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ସେପଟେ ୟୁକ୍ରେନ ସୀମାରୁ ଭାରତୀୟଙ୍କୁ ଆଣିବାକୁ ଆସନ୍ତା ୩ ଦିନରେ ୨୬ଟି ବିମାନ ଚଳାଚଳ କରିବ । ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍‌ରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଅପରେସନ ଗଙ୍ଗାକୁ ଜୋରଦାର କରିଛନ୍ତି ସରକାର ।

ୟୁକ୍ରେନ୍‌ ସୀମାନ୍ତ ପଡୋଶୀ ରାଷ୍ଟ୍ରରୁ ଭାରତୀୟଙ୍କୁ ବିମାନ ଯୋଗେ ଅଣାଯାଉଛି । ରୋମାନିଆର ବୁକାରେଷ୍ଟ, ହଙ୍ଗେରୀର ବୁଡ଼ାପେଷ୍ଟ, ପୋଲାଣ୍ଡ ଓ ସ୍ଲୋଭାକ୍‌ ରିପବ୍ଲିକ ଦେଇ ଭାରତୀୟଙ୍କୁ ଅଣାଯାଉଛି । ଏଥିରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ହିଣ୍ଡନ୍‌ ଏୟାର ବେସ୍‌ରୁ ଏୟାର ଫୋର୍ସର C-17 ପଣ୍ୟବାହୀ ବିମାନ ରୋମାନିଆ ଗସ୍ତ କରିଛି । ବିଦେଶ ମନ୍ତ୍ରାଳୟର ସୂଚନା ମୁତାବକ କିଭ୍‌ରେ ଆଉ ଭାରତୀୟ ନାଗରିକ ନାହାନ୍ତି । ସମସ୍ତେ ପଳାଇ ଆସିଲେଣି । ଏଥିସହ କିଭ୍‌ ସ୍ଥିତି ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ୟୁକ୍ରେନରେ ୨୦ ହଜାର ଭାରତୀୟ ଫସି ରହିଥିଲେ । ୟୁକ୍ରେନ ଛାଡ଼ି ୧୨ ହଜାର ଭାରତୀୟ ପଳାଇ ଆସିଲେଣି । ୬୦ ପ୍ରତିଶତ ଭାରତୀୟ ୟୁକ୍ରେନ୍‌ ଛାଡ଼ି ସାରିଲେଣି । ଆଉ ୪୦ ପ୍ରତିଶତର ଅଧା ଖାରକିଭ୍‌, ସମି ଅଞ୍ଚଳରେ ରହି ଯାଇଛନ୍ତି । ଅଧା ଲୋକ ୟୁକ୍ରେନ୍‌ର ପଶ୍ଚିମ ବର୍ଡର ପାଖାପାଖି ପହଞ୍ଚିଗଲେଣି ବୋଲି ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି। ଭାରତୀୟଙ୍କୁ ଫେରାଇ ଆଣିବାକୁ ୟୁକ୍ରେନ୍‌ ସୀମାରେ ଅଛନ୍ତି ମନ୍ତ୍ରୀ । ଖାରକିଭ୍‌ରୁ ଭାରତୀୟଙ୍କୁ ଆଣିବା ପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.