ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ଘଟଣା, ୫ ଗିରଫ

ପାରାଦୀପ(କେନ୍ୟୁଜ୍): ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ଘଟଣା, ୫ ଜଣଙ୍କୁ ଗିରଫ କଲା ପୋଲିସ୍ । ଟ୍ରକ୍‌ ବିକି ବଡଲୋକ ହେବାର ନିିଶାରେ ମାସେ ତଳେ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲେ ଅଭିଯୁକ୍ତ। ଭରା ମହାନଦୀ ଭିତରକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍‌କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିଲେ। ତେବେ ଏ ଯାଏ ବି ଡ୍ରାଇଭର ଜଣକ ନିଖୋଜ। ସୂଚନା ମୁତାବକ, ତାଙ୍କ ନାମ ସାହଦବ ଆଲମର ଓ ଘର ଉତ୍ତର ପ୍ରଦେଶରେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ସାହଦବ ଆଲମର ଗତ ଅଗଷ୍ଟ ମାସରେ ମାଲ ଆଣି ପାରାଦୀପ ଆସିଥିଲେ। ସେହି ଉତ୍ତର ପ୍ରଦେଶର ହୁକୁମ ସିଂ ଏବଂ ହରପାଲ ସିଂ ନାମକ ଆଉ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କ ସହ ସାହଦବ ଆଲମଙ୍କର ପାରାଦୀପରେ ଦେଖାସାକ୍ଷାତ ହୋଇଥିବା ବେଳେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏହାପରେ ଉକ୍ତ ୨ ଡ୍ରାଇଭର ସାହଦବଙ୍କ ଟ୍ରକ୍‌ ଚୋରି କରିବାକୁ ଯୋଜନା କରିଥିଲେ।
ସେମାନେ  ସାହଦବଙ୍କୁ ପାରାଦୀପ ସମୁଦ୍ର ବୁଲାଇ ନେବା ସହିତ ମନ୍ଦ ଉଦେଶ୍ଯ ରଖି ଜାଣିଶୁଣି ପ୍ରଚୁର ମଦ ପିଆଇଥିଲେ।  ଏହାପରେ ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ନେଇ ମହାନଦୀକୁ ଠେଲି ଦେଇଥିଲେ। ଏହାପରେ ଟ୍ରକକୁ ନେଇ ବୈଶିଙ୍ଗାର ଜଣେ ଢାବା ମାଲିକକୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ଢାବା ମାଲିକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଦେଉଳି ଡ୍ୟାମ ଜଙ୍ଗଲରେ ଟ୍ରକଟିକୁ ଲୁଚାଇ ରଖିଥିଲେ। ଏହା ମଧ୍ୟରେ ସେ ଟ୍ରକ୍‌ଟିକୁ କବାଡିଆକୁ ବିକ୍ରି ପାଇଁ ମସୁଧା କରୁଥିଲେ।
ହେଲେ ଚାନ୍ଦୁଆ ପୋଲିସ୍ ଏହାର ସୁରାକ ପାଇ ଟ୍ରକଟିକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଏହା ଏକ ଚୋରି ଟ୍ରକ୍‌ ବୋଲି ପୋଲିସ୍ ଜାଣିପାରି ପାରାଦୀପ ପୋଲିସ୍‌ ସହ ଯୋଗାଯୋଗ କରିଥିଲେ। ଏହି ଘଟଣାରେ ଅଭୟଚାନ୍ଦପୁର ପୋଲିସ୍୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ହୁକୁମ ସିଂ ଏବଂ ହରପାଲ ସିଂ, ରାଜା, ଅମଜାଦ ଖାଁ, ଶେଖ ବଲାଲୁଦ୍ଦିନ ଓ ଗାଡ଼ିକୁ ବୈଶିଙ୍ଗାରୁ ଜମ୍ଭୀରା ନେଇଥିବା ବାପୁନୁ ।
Leave A Reply

Your email address will not be published.