ମିଛ ଅଭିଯୋଗରେ ୫ ଆଦିବାସୀ ଗିରଫ, ମୁଖ୍ୟମନ୍ତ୍ରୀଙ୍କୁ କଲେ ଅଭିଯୋଗ
ନୂଆପଡା : ମିଛ ଅଭିଯୋଗରେ ୫ ଆଦିବାସୀ ଗିରଫ। ନୂଆପଡା ଜିଲ୍ଲା ଖଡିଆଳ ଥାନା ଦାବ୍ରି ଗାଁରେ କଲରାପତରିଆ ବାଘ ଶିକାର କରିଥିବା ମିଛ ଅଭିଯୋଗରେ ବନ ବିଭାଗ କର୍ମଚାରୀମାନେ ୫ଜଣ ଆଦିବାସୀଙ୍କୁ ଗିରଫ କରିଛନ୍ତି। ବନ କର୍ମଚାରୀମାନେ ନିରୀହ ଆଦିବାସୀମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ପ୍ରଥମେ ଖଡିଆଳ ବନବିଭାଗ କର୍ମଚାରୀମାନେ ଆଦିବାସୀମାନଙ୍କର ଆଖିରେ ପଟିବାନ୍ଧି ଦେଇଥିଲେ। ପରେ ହାତଗୋଡକୁ ବାନ୍ଧି ବିଦ୍ୟୁତ ସକ୍ ଦେଇଥିବା ସାମ୍ୱାଦିକ ସମ୍ମିଳନୀରେ ନିର୍ଯାତିତ ଓ ସେମାନଙ୍କ ଓକିଲ ଅଭିଯୋଗ କରିଛନ୍ତି। ନିର୍ଯାତିତ ଅଦିବାସୀମାନେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ,ଜଂଗଲ ଓ ପରିବେଶ ମନ୍ତ୍ରୀ, ମୁଖ୍ୟ ବନସଂରକ୍ଷକ ଓ ପୋଲିସ ମହାନିର୍ଦ୍ଧେଶକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ନିର୍ଯାତନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ଖଡିଆଳ ଥାନାରେ ଏତଲା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖଡିଆଳ ଏସିଏଫ ।