ଚୋରାଚାଲାଣ ବେଳେ ୫୦ କେଜି ସୁନା ଜବତ, ଆନୁମାନିକ ମୂଲ୍ୟ ୩୦ କୋଟି

ଭୁବନେଶ୍ୱର : ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା । ମାୟାନଗରୀ ମୁମ୍ବାଇ ରୁ ଭୁବନେଶ୍ବର ଆସିଥିଲା ସୁନା । ରାଜଧାନୀରେ ପହଂଚିବା ପରେ ମାଡ଼ି ବସିଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି ୫୦ କେଜି ସୁନା ଓ ଦେଢ କ୍ବିଣ୍ଟାଲରୁ ଅଧିକ ରୁପା ଜବତ ହୋଇଥିବା ସୂଚନା ମିଳିଛି ।

ଏହାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ । ସେହିପରି ଜବତ ରୂପାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଜିଏସଟି ବିଭାଗ । ତଦନ୍ତ ସମୟରେ ସୁନା ରୂପା କିଣା ବିକାର କୌଣସି ସଠିକ୍ ଇନଭଏସ, ଡକ୍ୟୁଏମେଣ୍ଟ ଦେଖେଇ ପାରିନଥିଲେ ଗାଡି ସହ ଧରାପଡିଥିବା ୪ ଜଣ ବ୍ୟକ୍ତି । କିଏ କେଉଁଠୁ କଣ ପାଇଁ ସୁନା ଆଣିଛି ସେସବୁକୁ ନେଇ ତଦନ୍ତ କରୁଛି ବିଭାଗ ।

ତେବେ ଏଟିଏମରେ ଟଙ୍କା ଭର୍ତ୍ତି ହେବାପାଇଁ ଯାଉଥିବା ଗାଡ଼ିକୁ କଣ ପାଇଁ ସୁନା ରୂପ ନେବା ପାଇଁ ବ୍ୟବହାର କରାଗଲା ସେଥିପାଇଁ ସନ୍ଦେହରେ ସିଟି -ଜିଏସଟି ବିଭାଗ । ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି ବୋଲି କହିଛନ୍ତି ସିଟି -ଜିଏସଟି ଯୁଗ୍ମ କମିଶନର ।