ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା: ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ କଲା ଗିରଫ

ସୁନ୍ଦରଗଡ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଆଜି ଭୋର ସମୟରେ ରାଜ୍ୟ ରାଜ ପଥ ୧୦ ରାଜଗାଙ୍ଗପୁର ଜାମପାଲି ଛକ ଠାରେ ପୋଲିସ ଦଳ ଚଢଉ କରି ଏକ ପିକ ଅପ ଭ୍ୟାନ ସହ ଏକ କାରକୁ ଜବତ କରିଥିଲେ ।
ପୋଲିସକୁ ଚକମା ଦେବା ପାଇଁ ପିକଅପ ଗାଡି ଡାଲାରେ ତଳେ ଗଞ୍ଜେଇ ରଖି ତା ଉପରେ ପରିବା ରଖା ଯାଇଥିଲା । ଯାଞ୍ଚ ପରେ ଉଭୟ ଗାଡିରୁ ୪ କ୍ୱିଣ୍ଟାଲ ୧୬କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏହାସହିତ ଚୋରା ଗଞ୍ଜେଇ କାରବାରରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୭୪୦୦ ଟଙ୍କା , ୬ଟି ମୋବାଇଲ ,ଏଟିଏମ କାର୍ଡ, ଆଧାର କାର୍ଡ ଗାଡିର ଆରସି ମଧ୍ୟ ପୋଲିସ ଜବତ କରିଛି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ ମାନେ ଉତ୍ତରପ୍ରଦେଶ ରାଜ୍ୟର ବୋଲି ସୁନ୍ଦରଗଡ଼ ପୋଲିସ ଅଧ୍ୟକ୍ଷା ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶ ରୁ ଏହି ବେପାରୀ ଗଞ୍ଜେଇ ଝାରଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ କରୁଥିବା ରାଜଗାଙ୍ଗପୁର ପୋଲିସ ସୂଚନା ଦେଇଛନ୍ତି।