ତାଳଚେର: କାହା ହାତରେ ଭୁଜାଲି ଥିଲା ତ କାହା ହାତରେ ହକି ଷ୍ଟିକ ଆଉ କାହା ହାତରେ ଠେଙ୍ଗା ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଆଉ ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଲେ । ପ୍ରାୟ ଅଧାଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚଳାଇଥିଲେ ଆତଙ୍କରାଜ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ । ତେବେ କାହିଁକି ଏପରି ଆତଙ୍କରାଜ ସୃଷ୍ଟି ହୋଇଥିଲା ଆସନ୍ତୁ ସେ ବିଷୟରେ ନଜର ପକାଇବା ।
ଲିଙ୍ଗରାଜ କୋଇଲା ଖଣିରେ ସବୁଦିନ ଭଳି ଆଜି ମଧ୍ୟ ଦୁଇଟି କମ୍ପାନୀର କୋଇଲା ଗାଡି ଚାଲୁଥିଲା। ତେବେ ରାତ୍ରି ସମୟରେ ଖଣି ଭିତରେ ଧସେଇ ପଶିଥିଲେ ୫୦ ରୁ ୬୦ ଯୁବକ । ଯାହାର ନେତୃତ୍ୱ ନେଉଥିଲେ ଲାଙ୍ଗିଯୋଡ଼ା ଗାଁର ତାପସ ସାହୁ ବାଲୁଗାଁର ଜିତେନ୍ଦ୍ର ସେଠି । ହାତରେ କାହାର ଭୁଜାଲି ଥିଲା ତ କାହା ହାତରେ ହକି ଷ୍ଟିକ ଆଉ କିଏ ଠେଙ୍ଗା ଧରି ଆରମ୍ଭ କରି ଦେଇଥିଲେ ଆତଙ୍କରାଜ । ଖଣିରେ ନିୟୋଜିତ ଥିବା କୋଇଲା ଟ୍ରକ ଏବଂ ବୋଲେରୋ ଗାଡିର ଗୋଟିଏ ପରେ ଗୋଟିଏ କାଚକୁ ଭାଙ୍ଗିଲେ କିଛି ଦୁର୍ବୃତ୍ତ ।
୧୫ରୁ ଉର୍ଦ୍ଧ୍ବ ଗାଡି ଭାଙ୍ଗିବା ସହ ଲିଙ୍ଗରାଜ ଟାଇମ ଅଫିସ ଭିତରେ ପଶି ସମସ୍ତ ଆସବାବ ପତ୍ରକୁ ଭାଙ୍ଗିବା ସହ oisf କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଭୟରେ ଗାଡି ଡ୍ରାଇଭର ଓ ଅନ୍ୟ ଖଣି କର୍ମଚାରୀମାନେ ଲୁଚି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ଧରି ତାଳଚେର ପୁଲିସ ପହଞ୍ଚିଥିଲା । ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।
ଏନେଇ ଖଣି ସୁରକ୍ଷାକର୍ମୀ, ଦୁଇଟି କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତ ମାନଙ୍କୁ ଜୋରଦାର ଖୋଜାଖୋଜି ଚଳାଇଛି ।