ମହିମା ଟୁଙ୍ଗି ପ୍ରତିଷ୍ଠା ଉତ୍ସବ,ଯୋଗଦେଲେ ୫୦୦୦ରୁ ଅଲେଖ ମହିମାପ୍ରେମୀ ଭକ୍ତ

ନାମ ସଂକୀର୍ତ୍ତନରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହେଉଥାଏ । ଉପସ୍ଥିତ ଥିବା ସାଧୁ ସନ୍ଥମାନେ ଗେରୁଆ ବସ୍ତ୍ର ପିନ୍ଧି ଯଜ୍ଞରେ ଆହୁତି ଦେଉଛନ୍ତି । ଗାଁର ନାମ ହେଉଛି ବୌଦବେଡା । ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ହନୁମାନପୁର ଗ୍ରାମପଞ୍ଚାୟତର ଗାଁ ବୌଦବେଡା । ଏହି ଗାଁର ଅଧିକାଂଶ ଗ୍ରାମବାସୀ ଆଜକୁ ଶହେ ଦେଢ ଶହ ବର୍ଷ ପୂର୍ବରୁ ଅଲେଖ ମହିମାରେ ଦୀକ୍ଷିତ । ଏଠାରେ ବସବାସ କରନ୍ତି ୬୦ ପରିବାର । ଲୋକ ସଂଖ୍ୟା ପ୍ରାୟ ୩୦୦ ପାଖାପାଖି । ଗାଁରେ ଅଧିକାଂଶ ଅର୍ଥାତ ଶହେରୁ ପଞ୍ଚାନବେ ଶତକଡା ଲୋକ ଅଲେଖ ମହିମାରେ ଦୀକ୍ଷିତ । ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ସରକାରଙ୍କ ସହାୟତାରେ ନିର୍ମାଣ ହୋଇଛି ତିନୋଟି ଅଲେଖ ମହିମା ଆଶ୍ରମ ଗୃହ ବା ମହିମା ଟୁଙ୍ଗି ।

ଟୁଙ୍ଗିର ପ୍ରତିଷ୍ଠା ଉତ୍ସବରେ ଅଲେଖ ମହିମା ଗାଦି ଯୋରନ୍ଦା ଠାରୁ ଆରମ୍ଭ କରି ଆଖପାଖ ଅନେକ ସ୍ଥାନରୁ ବାବାମାନେ ଯୋଗଦେଇଥିଲେ । ଏଥି ସହିତ କଣିଁହା ବ୍ଲକର ୨୭ ଟି ଗ୍ରାମପଞ୍ଚାୟତର ଅଲେଖ ମହିମା ଦୀକ୍ଷିତ ଓ ଅଲେଖ ମହିମାପ୍ରେମୀ ଭକ୍ତମାନେ ଯୋଗ ଦେଇଥିଲେ ଏହି ଉତ୍ସବରେ । ମହିମା ଟୁଙ୍ଗି ପ୍ରତିଷ୍ଠା ଉତ୍ସବରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଗ୍ରାମବାସୀ ଆୟୋଜନ କରିଥିଲେ ବିଶ୍ବଶାନ୍ତି ମହାଯଜ୍ଞ । ପାଖାପାଖି ୫୦୦୦ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ହୋମ ଧୂଆଁ , ଝୁଣା , ଘିଅ , ଘୃତ ଆଦିର ବାସ୍ନାରେ ଅଞ୍ଚଳ ମହକି ଉଠି ଚଳଚଞ୍ଚଳ ହୋଇଥିବାବେଳେ ଅଲେଖ ମହିମା ଭଜନରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ଏଥିରେ ପୂର୍ବତନ ପାଳଲହଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ମୁକେଶ କୁମାର ପାଳଙ୍କ ସହିତ ୫୦୦୦ ରୁ ଅଧିକ ଭକ୍ତ ଏଥିରେ ଯୋଗ ଦେଇଥିଲେ ।

ଗ୍ରାମବାସୀଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଶ୍ୱ କଲ୍ୟାଣ ନିମିତ୍ତ ଅନେକ ମହିମା ସାଧୁ ଯଜ୍ଞରେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଯୁଗରେ ବିଜ୍ଞାନର ଏତେ ଅଗ୍ରଗତି ହୋଇ ସୁଦ୍ଧା ଏହି ମହିମା ଧର୍ମର ସନ୍ଥମାନେ ଗୋଟିଏ ପୁରାତନ ପ୍ରଥାକୁ ଆଜି ପର୍ଯ୍ୟନ୍ତ ଆପଣେଇ ରଖିଛନ୍ତି ।