୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ଫିଲ୍ମ ସୂଚୀ ଘୋଷଣା, ଚୟନ କଲେ ହିମାଶୁ ଖଟୁଆ ଓ ସୁଶାନ୍ତ ମିଶ୍ର

ଆସନ୍ତା ନଭେମ୍ବର୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବ ୫୫ତମ ଭାରତୀୟ ପାନୋରାମା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) । ଏଥିରେ ମୋଟ ୨୫ଟି ଫିଚର ଫିଲ୍ମ ଓ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଫିଚର ଫିଲ୍ମ ବର୍ଗରେ ୫ଟି ମୁଖ୍ୟଧାରାର ସିନେମା ରହିଛି । ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଏହି ଫିଲ୍ମ ସବୁ ଚୟନ ପାଇଁ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା । ସେମାନେ ମୋଟ ୩୮୪ଟି ଫିଲ୍ମରୁ ଏସବୁକୁ ଚୟନ କରିଛନ୍ତି  ।

ଫିଚର ଫିଲ୍ମ ଚୟନ ପାଇଁ ଗଠିତ ବିଚାରକ ମଣ୍ଡଳୀର ନେତୃତ୍ୱ ନେଇଥିଲେ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଡ. ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଅଭିନେତା ମନୋଜ ଯୋଶୀ, ଅଭିନେତ୍ରୀ ସୁସ୍ମିତା ମୁଖାର୍ଜୀ, ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କୋଲକାତା ସ୍ଥିତ ଏସ୍ଆରଏଫଟିଆଇର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଅନ୍ୟତମ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ସମେତ ୧୨ ଜଣ ଜୁରୀ ମେମ୍ବର ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକ ଚୟନ କରିଥିଲେ ।

ସେହିପରି ଅଣଫିଚର ଫିଲ୍ମ ବିଭାଗରେ ୬ ଜଣ ଜୁରୀ ରହିଥିଲେ । ଏହାର ନେତୃତ୍ୱ ନେଇଥିଲେ ପ୍ରସିଦ୍ଧ ଡକୁମେଣ୍ଟାରୀ ଓ ୱାଇଲଡ ଲାଇଫ୍ ଫିଲ୍ମ ନିର୍ଦ୍ଦେଶକ ସୁବାୟା ନଲ୍ଲା ମୁଥ୍ଥୁ ।

ଚଳଚ୍ଚିତ୍ର ଉତ୍ସବର ପ୍ରଥମ ଫିଲ୍ମ ଭାବେ ରଣଦୀପ ହୁଡ୍ଡାଙ୍କ ହିନ୍ଦୀ ଫିଲ୍ମ ସ୍ବତନ୍ତ୍ର ବୀର ସବରକର ସିନେମାଟି ପ୍ରଦର୍ଶିତ ହେବ । ସେହିପରି ଅଣଫିଚରଫିଲ୍ମ ବର୍ଗର ୨୦ଟି ସିନେମା ମୋଟ ୨୬୨ଟି ସିନେମା ମଧରୁ ଚୟନ କରାଯାଇଛି । ଏହି ବର୍ଗର ପ୍ରଥମ ଫିଲ୍ମ ଭାବେ ଲଦାଖି ଚଳଚ୍ଚିତ୍ର ‘ଘର ଜୈସା କୁଛ’ ପ୍ରଦର୍ଶିତ ହେବ । ଅଣଫିଚର ଫିଲ୍ମ ବର୍ଗରେ ଏକମାତ୍ର ଓଡ଼ିଆ ସିନେମା ଭାବେ ସୁବାସ ଚନ୍ଦ୍ର ସାହୁଙ୍କ ‘ମୋ ବୋଉ ମୋ ଗାଁ’ ସ୍ଥାନ ପାଇଛି ।

ଗୋଆର ପାନାଜିରେ ନଭେମ୍ବର ୨୦ ତାରିଖରୁ ଏନଏଫଡିସି, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗୋଆ ସରକାରଙ୍କ ସହାୟତାରେ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବ । ଭାରତୀୟ ଚଳଚ୍ଚିତ୍ରର କଳାତ୍ମକ ଦିଗକୁ ଉଜାଗର କରି ଏହାର ପ୍ରଚାର ପ୍ରସାର କରିବା ହେଉଛି ଏହି ଚଳଚ୍ଚିତ୍ର ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।

 

 

 

You might also like