ପୁରୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ତିନି ଦିନ ବ୍ୟାପୀ ୫୮ ତମ କୁମାର ଉତ୍ସବ ସ୍ଥାନୀୟ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି । ଚଳିତ ବର୍ଷ ପାଇଁ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଲଗ୍ନଲୋକିତ ତ୍ରିପାଠୀ ଓ ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀ ଅରୋଶିଖା ରଥ ଯଥାକ୍ରମେ ଶ୍ରୀକ୍ଷେତ୍ର କୁମାର ଓ ଶ୍ରୀକ୍ଷେତ୍ର କୁମାରୀ ହୋଇଛନ୍ତି । ରଚନା ଦାସଙ୍କୁ ଶ୍ରୀକ୍ଷେତ୍ର ଗୃହିଣୀ ସମ୍ମାନ ପ୍ରଦାନ କରାଯାଇଛି । ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ସଙ୍ଗୀତ ରୂପକ ନୃତ୍ୟ ବିଚିତ୍ରା କୁମାର ପୁନେଇ ଜହ୍ନ।ଏହାପରେ ମାହାରୀ ଓ ମାଲଖମ୍ବ ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପୁରୀର ସ୍ଵାତୀସ୍ନିଗ୍ଧା ସୁଆର,ସୌମ୍ୟରଞ୍ଜନ ପଣ୍ଡାଙ୍କୁ କୁମାର ଉତ୍ସବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ପୁରୀ ବିଚ୍ ଲାଇଫଗାର୍ଡ ମହାସଂଘଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ବରିଷ୍ଠ ଆଇନଜୀବି ବିଭୁପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ,ସୁପ୍ରିମକୋର୍ଟ ଆଇନଜୀବି ବିରଜା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସାମାଜିକ କର୍ମୀ ବିଜୟ କୁମାର ଚିନ୍ନରାଙ୍କୁ ସମ୍ବର୍ଦ୍ଧିତ କରାଯିବ । ୫୮ ତମ କୁମାର ଉତ୍ସବର ମୁଖ୍ୟ ଆକର୍ଷଣ ରହିବ ସମ୍ବଲପୁରୀ ଲୋକ ନୃତ୍ୟ,ଶ୍ରୀମନ୍ଦିର ଆମ ପରମ୍ପରାକୁ ନେଇ ଫ୍ୟୁଜନ, ଶ୍ରୀ ଜଗନ୍ନାଥାଷ୍ଟକମ, ପାଇକ୍ ଆଖଡ଼ା । ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଗୃପଙ୍କ ଦ୍ବାରା ସଙ୍ଗୀତର ସୁନେଲି ସନ୍ଧ୍ୟା ମଞ୍ଚସ୍ଥ ହେବ ।
ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ
ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା,ଅମରେନ୍ଦ୍ର ପାଇକରାୟ ,ଶ୍ରୀକାନ୍ତ ମହାନ୍ତି ,ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Also Read: ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ