ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ବିସ୍ଫୋରଣରେ ଆଉ ୩ ଗୁରୁତର ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ବିସ୍ଫୋରଣରେ ଆଉ ୩ ଗୁରୁତର ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ଗତକାଲି ବାଣ ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ରାତିରେ ଦୋଳ ଗୋବିନ୍ଦଙ୍କ ମୃତ୍ୟୁ ହେବା ପରେ ଏବେ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।ବାଣ ବିସ୍ଫୋରଣ ଜନିତ ଘଟଣା ଏହିଭଳି କେତେ ଜୀବନ ନେବ, ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ଏହି ମୃତକମାନେ ହେଲେ, ଟାଙ୍ଗୀ ଥାନା ଭୂଷଣ୍ଡପୁରର ନିରଞ୍ଜନ ବେହେରା, ବ୍ରଜ ବେହେରା, ନିରାକାରପୁର ଥାନା ଅଧୀନସ୍ଥ ପାଣ୍ଡବ ପାଟଣାର ସହଦେବ ବେହେରା ଏବଂ କଣାସ ଥାନା ଅଧୀନସ୍ଥ ବାଦୁରାବରର ବୃନ୍ଦାବନ ସାହୁ, ଦୋଳଗୋବିନ୍ଦ ବେହେରା । ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏସପି, ଉପ ଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ସୂଚନା ଅନୁଯାୟୀ ଆସନ୍ତାକାଲି ଭୂଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭୂଷଣ୍ଡପୁରର ଚିଲିକାକୂଳ ମନ୍ଦିର ନିକଟରେ ବାଣ ତିଆରି କରୁଥିଲେ । ଏତିକି ବେଳେ ହଠାତ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ତିଆରି ଚାଲିଥିବା ଘରେ ନିଆଁ ଲାଗିବାରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟିଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ବାଣ କାରିଗର ଦୋଳ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ୪ ମୃତକ ମଧ୍ୟ ବାଣ କାରିଗର ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.