ବାରଣ୍ଡାରେ ଖେଳୁଥିବା ସମୟରେ ହଠାତ୍ ଖସିପଡିଲା ଛାତର ତାଜା, ନୀରବି ଗଲା କଅଁଳ ଜୀବନ

ରାୟଗଡା: ଛାତିରେ ଜାବୁଡି ଧରି ବିକଳ ରଡି ଛାଡୁଛି ମାଆ । କଣ ଘଟିଗଲା ଆଖି ସାମ୍ନାରେ । ଏଇତ ଖେଳୁଥିଲା । ଦେଖୁ ଦେଖୁ କଣ ଘଟିଗଲା । ସତରେ ମୃତ୍ୟୁ ଏମିତି ବି ଆସେ…। ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । କିଛି ସମୟ ପୂର୍ବରୁ ଏଇ ପରିବାରରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ହଠାତ୍ ଘଟିଥିଲା ଦୁଃଖଦ ଘଟଣା । ଯାହାକୁ କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋରପା ପଞ୍ଚୟତ, ବେର୍ଲାଙ୍ଗ ଗ୍ରାମର କମସିଙ୍ଗ କାଡ୍ରାକା । ଯାହାଙ୍କ ସାନ ଝିଅ ଅବନ୍ତୀ କାଡ୍ରାକା ଆଉ ଏ ଦୁନିଆରେ ନାହିଁ । ଗେଲ ବସରର ଝିଅକୁ ହରାଇ ଦେଇଛି ଏଇ ପରିବାର । କଣ ବା ଦୋଷ ଥିଲା ତାର । ଏମିତି ଦଇବ କାହିଁକି କଲା । ଘର ବାହାରେ ବାରଣ୍ଡାରେ ଖେଳୁଥିବା ସମୟରେ ହଠାତ୍ ଘର ଛାତର ତାଜା ଖସି ପଡ଼ିଲା ୫ବର୍ଷର ଅବନ୍ତୀ ଉପରେ । କଅଁଳ ଜୀବନ ଦେଖୁ ଦେଖୁ ଆଖି ସାମ୍ନାରେ ନିରବୀ ଗଲା ।

ଜୀବନ କଣ ଜାଣିବା ଆଗକୁ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲା କୁନି ଝିଅ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଘରର ଅଲିଅଳି ଝିଅ ଅବନ୍ତୀକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏନେଇ ଖବର ପାଇବା ପରେ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଏକ ଅପମୃତ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି ।

You might also like