BSKYରେ ୬ଲକ୍ଷ ୩୧ ହଜାର ଲୋକଙ୍କୁ ମିଳିଲା ଦେୟମୁକ୍ତ ଚିକିତ୍ସା, ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ପୈଠ କଲେ ୧୩୮୯ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣପଡିଛି । ବି.ଏସ୍.କେ.ୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ।

ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇରେ ଚିକିତ୍ସା ସୁବିଧା ପାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି । ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ବି.ଏସ୍.କେ.ୱାଇ ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି । ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି ।

ରାଜ୍ୟର ବିଭିନ୍ନ ଦୁରଦୁରାନ୍ତ ଅଂଚଳମାନଙ୍କରେ ବି.ଏସ୍.କେ.ୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୈାଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରୀ ନମ୍ବର ୧୦୪ କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଚନ୍ତି । ନିଜର ବି.ଏସ୍.କେ.ୱାଇ କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୈାଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରୀ ନମ୍ବରକୁ ଫୋନକରି ଜଣାଉଛନ୍ତି, ଏବଂ ସେ ସମସ୍ୟାର ସମାଧାନ କରାଯାଉଛି । ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରୀ ନମ୍ବର ୧୪୫୪୫, ଟ୍ବିଟର୍ ଆକାଉଣ୍ଟ @bskyodisha ଓ ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ଜଣାଉଛନ୍ତି ଯାହାକୁକି ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି ।

ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ପୂର୍ଣସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.