ବାଲି ଚୋରା ଚାଲାଣ ବେଳେ ୭ ହାଇୱା ଜବତ, ୬ ଡ୍ରାଇଭର ଗିରଫ

ମୟୂରଭଂଜ ଜିଲ୍ଲା ସାରସକଣା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣ କରୁଥିବା ସମୟରେ ୭ଟି ହାଇୱାକୁ ଧରିବାରେ ସଫଳ ହୋଇଛି ଝାରପୋଖରିଆ ପୋଲିସ ।

ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ସାରସକଣା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣ କରୁଥିବା ସମୟରେ ୭ଟି ହାଇୱାକୁ ଧରିବାରେ ସଫଳ ହୋଇଛି ଝାରପୋଖରିଆ ପୋଲିସ ।

ପ୍ରକାଶ ଥାଉକି, ସାରସକଣା ତହସିଲ ଅଧୀନ ଶୀର୍ଷା ରୁଗୁଡିସାହି ଓ ପାଣ୍ଡରା ଘାଟ ଅଞ୍ଚଳରୁ ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଝାରପୋଖରିଆ ଥାନାର ପାଟ୍ରୋଲିଙ୍ଗ ଟିମ ଶୀର୍ଷା ରୁଗୁଡି ସାହି ଓ ପାଣ୍ଡରା ନଦୀ ଘାଟରୁ ରୁଗୁଡି ସାହି ରାସ୍ତାରେ ୭ଟି ଗାଡିକୁ ଧରିଥିଲେ।

ପୁଲିସ ଚଢାଉ ବିଷୟରେ ସୂଚନା ପାଇ ଝାଡଖଣ୍ଡ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଥାଇ ୭ଟି ହାଇୱା ଗାଡି ଉକ୍ତ ରାସ୍ତା ପାର୍ଶ୍ଵ, ଜମି ଓ କେନାଲ କଡରେ ବାଲିସବୁ ଅନଲୋଡ କରିବା ସହ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କଲାବେଳେ ପୁଲିସ ଟିମ ହାତରେ ଧରା ପଡ଼ିଥିଲେ। ଉପରୋକ୍ତ ଗାଡି ଚାଳକମାନଙ୍କ ମଧ୍ୟରୁ ଜଣେ ଲୁଚି ଖସିଯିବାକୁ ସମର୍ଥ ହୋଇଥିଲା ।

ବାକି ୬ ଜଣ ଚାଳକ ତଦନ୍ତ ବେଳେ କୌଣସି ପରମିଟ ତଥା ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଉପରୋକ୍ତ ୭ଟି ହାଇୱାକୁ ଥାନାକୁ ଅଣାଯିବା ସହିତ ସେମାନଙ୍କ ଠାରୁ ୬ଟି ମୋବାଇଲ ଫୋନ ଜବତ କରାଯାଇଛି । ଘଟଣାର ସବିଶେଷ ତଦନ୍ତ କରି ଏହି ମାମଲାରେ  ଉପରୋକ୍ତ ୬ ଜଣ ଚାଳକଙ୍କୁ ଗିରଫ କରାଯାଇଛି  । ଜଣେ ଡ୍ରାଇଭର ଫେରାର ରହିଥିବା ଆଇଆଇସି ସୁଚିସ୍ମିତା ଦାସ ପ୍ରକାଶ କରିଛନ୍ତି ।